ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ ପ୍ରଥମ ଜଗନ୍ନାଥ ଭଜନ ଗାଇଛନ୍ତି। ଏହି ଅବସରରେ ସେ ‘ଦଣ୍ଡବତ ହେଲି ତୋରି ପାଦରେ’ ଭଜନ ଗାଇ ଦର୍ଶକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ତାଙ୍କୁ ଜଗନ୍ନାଥଙ୍କ ଫଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ହ୍ୟୁମାନଙ୍କୁ ଜଗନ୍ନାଥଙ୍କ ଭଜନ ଗାଇବାକୁ କହିବାରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଛି ବୋଲି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଶୁକ୍ରବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା (ନଂ.୧୪୯/୨୨) ରୁଜୁ ହୋଇଥିଲା। ଏଥିସହ ଉକ୍ତ ଫୋନ କଲ୍‌ର ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ହ୍ୟୁମାନ ବିଦାଦଘେରକୁ ଚାଲିଆସିଥିଲେ। ଏବେ ମହାପ୍ରଭୁଙ୍କ ଗୀତ ଗାଇବା ସମ୍ପର୍କରେ ହ୍ୟୁମାନ କୁହନ୍ତି, ପୂର୍ବରୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ସୁଯୋଗ ପାଇ ନ ଥିଲି। ଏବେ ସେ ସୁଯୋଗ ମିଳିଛି। ଜୀବନର ଶେଷପର୍ଯ୍ୟନ୍ତ ଜଗନ୍ନାଥଙ୍କ ଭଜନ ଗାଇବି।

Share