ଚିନି ବଦଳରେ ଗୁଡ଼

ମିଠା ଖାଇବାକୁ କାହାର ଇଚ୍ଛା ନ ହୁଏ। ସେଥିପାଇଁ ତ ପଶୁପକ୍ଷୀ କିମ୍ବା ମନୁଷ୍ୟ ସମସ୍ତଙ୍କର ପାଟିରୁ ଲାଳଗଡ଼େ ମିଠାକୁ ଦେଖିଲେ। ଏହି ମିଠା ଦୁଇ ପ୍ରକାରର ହୋଇଥାଏ। ପ୍ରଥମଟି ହେଲା ବିଭିନ୍ନ ପ୍ରକାର ମିଠା ଫଳମୂଳ ଓ ରସରୁ ମିଳିଥାଏ, ଯାହାକି ଆମ ମନବୋଧ କରିଦିଏ। ଅନ୍ୟଟି ହେଉଛି ଉଦ୍ଭିଦ ଅଂଶରୁ ସଂଗୃହୀତ ମିଠା, ଯାହାକି ଗୁଡ ଓ ଚିନି ନାମରେ ପରିଚିତ। ପ୍ରଥମେ ଆମେମାନେ ଆଖୁ, ତାଳ କିମ୍ବା ଖଜୁରି ଗଛର ରସକୁ ସଂଗ୍ରହ କରି ସେଥିରୁ ଗୁଡ ତିଆରି କରୁଥିଲେ। ପରବର୍ତ୍ତୀ ସମୟରେ ସେସବୁ ଗୁଡ ତିଆରି କମିଗଲା ଓ ଆଖୁରୁ କଳକାରଖାନା ଦ୍ୱାରା ସିଧାସଳଖ ଚିନି ତିଆରି ହେଲା। ଚିନିର ଆବଶ୍ୟକତା ଓ ତଦନୁସାରେ ଉତ୍ପାଦନ ମଧ୍ୟ ବଢିବାକୁ ଲାଗିଲା। ଏକ ଆକଳନରୁ ଜଣାଯାଇଛି ଯେ ରାଜ୍ୟର ବାର୍ଷିକ ଚିନି ଆବଶ୍ୟକତା ୧୦ ଲକ୍ଷ ଟନ, ମାତ୍ର ଆମର ଉତ୍ପାଦନ ମାତ୍ର ୧୦,୦୦୦ରୁ ୧୫୦୦୦ ଟନ। ଆମେ ପ୍ରଚୁର ମାତ୍ରାରେ ଚିନି ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ଆମଦାନୀ କରି ଖାଉଛେ। ସେ ରାଜ୍ୟରେ ଆଖୁ ଚାଷ ଓ ଚିନି କାରଖାନାରେ ହଜାର ହଜାର ଲୋକ ରୋଜଗାର ପାଉଛନ୍ତି। ଆମ ରାଜ୍ୟର ଖାଉଟିଙ୍କ ପଇସା ସେ ସବୁ ରାଜ୍ୟକୁ ଚାଲିଯାଉଛି।
ଦୁଃଖର ବିଷୟ ଆମ ରାଜ୍ୟର ଗୋଟିଏ ଚିନିକଳକୁ ଛାଡି ଆଉ ସମସ୍ତ ଚିନିକଳ ଅକାମୀ। ଆମେମାନେ ପ୍ରାୟ ପୂଜା ପାର୍ବଣକୁ ଛାଡିଦେଲେ ଅନ୍ୟ ସମୟରେ ଗୁଡ ଜମା ବ୍ୟବହାର କରୁନାହୁଁ। ଓଡ଼ିଶାର ନୂତନ ପିଢ଼ି ତ ଗୁଡକୁ ଦେଖିଲେ ଯେମିତି ଅଖାଦ୍ୟ ଭାବି ନାକ ଟେକୁଛନ୍ତି। ଆପଣମାନେ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଗୁଡର ଖାଦ୍ୟ ଉପାଦାନଗୁଡିକୁ ଚିନିର ଖାଦ୍ୟ ଉପାଦାନ ସହିତ ତୁଳନା କରିବେ ତେବେ ନିଜକୁ ବିଶ୍ୱାସ କରିପାରିବେ ନାହିଁ ଓ ମୁଣ୍ଡରେ ଚଡକ ପଡିବ। ଭାବିବେ ମୁଁ କ’ଣ କରୁଛି? ଖାଦ୍ୟ ପୋଷକ ଉପାଦାନରେ ଚିନି ଗୁଡର ପାସାଙ୍ଗରେ ପଡେ ନାହିଁ। ଶରୀର ପାଇଁ ଚିନି ତୁଳନାରେ ଗୁଡ ଶହେ ପ୍ରତିଶତ ଭଲ । ଆସନ୍ତୁ ଜାଣିବା ୧୦୦ ଗ୍ରାମ ଗୁଡ ଓ ୧୦୦ ଗ୍ରାମ ଚିନିରେ କେଉଁ କେଉଁ ଉପାଦାନ ଅଛି। ଟେବୁଲକୁ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ଯେ ଖାଲି ଶ୍ୱେତସାରକୁ ଛାଡିଦେଲେ ପ୍ରାୟ ଅଧିକାଂଶ ଖାଦ୍ୟ ପୋଷକ ତତ୍ତ୍ୱ ଚିନିରେ ନାହିଁ ବା କିଞ୍ଚିତ ମାତ୍ରାରେ ଅଛି। ମାତ୍ର ସେଗୁଡିକ ଭରପୂର ମାତ୍ରାରେ ଅଛି ଗୁଡରେ। ତା’ଛଡା ଗୁଡରେ ଔଷଧୀୟ ଗୁଣ ବି ଭରିରହିଛି। ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଏହା ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ସହିତ ଯକୃତରୁ ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ଏହା ମଧ୍ୟ ରକ୍ତ ସଫା କରିବାରେ ସାହାଯ୍ୟ କରେ। ଗୁଡ ଆମର ପାକସ୍ଥଳୀ ସଫାସୁତରା ରଖେ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ଦିଏ। ରକ୍ତ ଚାପକୁ ନିୟନ୍ତ୍ରଣ କରେ। ରକ୍ତହୀନତା ଦୂର କରେ। ସର୍ବୋପରି ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ମାତ୍ର ଚିନିରେ ଉପରୋକ୍ତ ବର୍ଣ୍ଣିତ ଉପକାର ସାଧିତ ହୁଏ ନାହିଁ। ଆଖୁ ରସକୁ ରିଫାଇନ ପଦ୍ଧତିରେ ଧଳା କରିବା ଦ୍ୱାରା ଏଥିରୁ ବହୁ ଖାଦ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ନିଜର ସ୍ବାସ୍ଥ୍ୟ ରକ୍ଷା ପାଇଁ ଗୁଡର କଳା ରଙ୍ଗକୁ ଘୃଣା ନ କରି ତାକୁ ସବୁ କ୍ଷେତ୍ରରେ ବ୍ୟବହାର କରନ୍ତୁ।
ଓଡ଼ିଶାବାସୀ ସମସ୍ତେ ଚିନି ପରିବର୍ତ୍ତେ ଗୁଡ ଖାଇଲେ, ସ୍ବାସ୍ଥ୍ୟବାନ ହେବେ। ତା’ ଛଡା ଗୁଡର ଚାହିଦା ମଧ୍ୟ ବଢିବ। ଗୁଡର ଚାହିଦା ବଢିଲେ ଆଖୁ ଚାଷ ବୃଦ୍ଧି ପାଇବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଚାଷୀଭାଇ ନିଜ ଉଦ୍ୟମରେ ଗୁଡ ପ୍ରସ୍ତୁତକରି ଦି’ପଇସା ରୋଜଗାର କରି ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବେ। ଆମକୁ ଆଉ ଚିନି ପାଇଁ ବାହାର ରାଜ୍ୟ ଉପରେ ଏତେଟା ନିର୍ଭର କରିବାକୁ ପଡିବ ନାହିଁ। ଆମର ମୂଲ୍ୟବାନ ଟଙ୍କା ଚିନି କ୍ରୟ ପାଇଁ ବାହାର ରାଜ୍ୟକୁ ନ ଯାଇ, ରାଜ୍ୟର ଆଖୁ ଚାଷୀମାନଙ୍କ ସ୍ବାର୍ଥ ରକ୍ଷାରେ ଲାଗିବ। ରାଜ୍ୟର ଆଖୁଚାଷୀ ଗୁଡକୁ ୫୦୦ ଗ୍ରାମ କିମ୍ବା କିଲିକିଆ ପଲି ଡବାରେ ପ୍ୟାକ୍‌ କରି ବିଭିନ୍ନ ବଜାରକୁ ଛାଡ଼ନ୍ତୁ। ଚାଷୀ ଗୁଡକୁ ମୁଣ୍ଡାକରି ମଧ୍ୟ ବସ୍ତାରେ ଭରି ବିଭିନ୍ନ ସହରକୁ ପଠାଇ ପାରିବେ, ସେଥିପାଇଁ ଟେକ୍‌ନୋଲୋଜି ଉପଲବ୍ଧ ଅଛି। ଉତ୍ତର ପ୍ରଦେଶର ଗୁଡକୁ ମୁଣ୍ଡା କରି, ବସ୍ତାରେ ଭର୍ତ୍ତି କରି ସେମାନେ ଆମ ବଜାରରେ ବିକ୍ରିକରି ପାରୁଛନ୍ତି, ମାତ୍ର ଆମ ଚାଷୀଙ୍କ ଗୁଡକୁ ଆମେ ଆମ ରାଜ୍ୟରେ ବିକ୍ରି କରିବାକୁ ଅସମର୍ଥ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏଥିପାଇଁ ଆମେ କିଛି ଷ୍ଟାର୍ଟଅପ ମଧ୍ୟ ମଞ୍ଜୁର କରିପାରିବା। ସେଥିପାଇଁ ବ୍ୟୟ ବ୍ୟବସ୍ଥା ହେବା ଜରୁରୀ। ଏହା ଦ୍ୱାରା ଆମର ବେରୋଜଗାରି ମଧ୍ୟ ହ୍ରାସ ପାଇବ।
କିଛିଦିନ ତଳେ କର୍ନାଟକର କ୍ଷୀର ନନ୍ଦିନୀ ଓ ଗୁଜରାଟର ଅମୂଲ କ୍ଷୀର ମଧ୍ୟରେ ପ୍ରତିଯୋଗିତା ହେଲାବେଳେ ସମଗ୍ର କର୍ନାଟକବାସୀ ଅମୂଲ କ୍ଷୀର ତ୍ୟାଗକରି ନନ୍ଦିନୀ କ୍ଷୀର କିଣିବା ପାଇଁ ଘୋଷଣା କଲେ ନିଜ ରାଜ୍ୟର ଗୋପାଳଙ୍କ ସ୍ବାର୍ଥ ରକ୍ଷା ପାଇଁ। ମିଠା ଦୋକାନରେ ଗୁଡ ରସଗୋଳା ମଧ୍ୟ ତିଆରି ହେଲାଣି। ଛେନାପୋଡ ମଧ୍ୟ ହୋଇପାରିବ ଗୁଡରୁ। ମିଠା ଦୋକାନରେ ଚିନି ପ୍ରୟୋଗକୁ ଛାଡି, ଘରେ ସବୁଥିରେ ଆମେ ଗୁଡ ପ୍ରୟୋଗ କରିପାରିବା। ଆସନ୍ତୁ ଆମେ ସମସ୍ତେ ଗୁଡ ଖାଇବା। ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖିବା ରାଜ୍ୟର ଆଖୁ ଚାଷୀଙ୍କ ଆର୍ଥିକ ସ୍ଥିତି ମଜଭୁତରେ ସହାୟକ ହେବା।

– ଡ. ପ୍ରମୋଦ କୁମାର ପଣ୍ଡା
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri