ନୂଆଦିଲ୍ଲୀ,୨୪ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଏମାନଙ୍କ ଦାବି ହେଲା ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ । ଏଭଳି ପରିସ୍ଥିତିରେ ପଞ୍ଜାବ ଗୁରୁଦାସପୁରର ଜଗତାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗୋଟିଏ ଗୋଡ଼ରେ ସାଇକେଲ ଚଲାଇ ସେ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ପଞ୍ଜାବରୁ ଆସି ଦିଲ୍ଲୀ ସିନ୍ଧୁ ସୀମାରେ ପହଞ୍ଚିଛନ୍ତି । ସେ ଜଣେ କ୍ଷୁଦ୍ର ଚାଷୀ । ପ୍ରାୟ ଏକମାସ ହେବ ସେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ନିକଟରେ ସେ ଘରକୁ ଯାଇଥିଲେ । ହେଲେ ସେଠାରେ ମନ ନ ଲାଗିବାରୁ ସେ ପୁଣିଥରେ ଗୋଟିଏ ଗୋଡ଼ କାମ କରୁ ନ ଥିଲେ ମଧ୍ୟ ଆଉ ଗୋଟିଏ ଗୋଡରେ ସାଇକେଲ ଚଲାଇ ପୁଣିଥରେ ଆନ୍ଦୋଳନାରେ ଆସି ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, କୌଣସି କାରଣରୁ ତାଙ୍କର ଗୋଟିଏ ଗୋଡ଼ କାମ ନ କରୁଥିବା ବେଳେ ସେ ଆର୍ଟିଫିସିଆଲ୍ ଗୋଡ଼ ଲଗାଇଛନ୍ତି ।