Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା: ଜେଲ ଗଲେ ୪

ନୂଆଦିଲ୍ଲୀ,୨୪।୪:  ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାର ୫ ମୁଖ୍ୟ ଅଭିଯୁକ୍ତଙ୍କୁ ଅଦାଲତ ୮ ଦିନ ପାଇଁ ପୋଲିସ ରିମାଣ୍ଡରେ ଛାଡ଼ିଛନ୍ତିି। ଏହା ବ୍ୟତୀତ ଅନ୍ୟ ୪ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ଅନ୍‌ସାର, ସଲିମ, ଦିଲ୍‌ଶାଦ, ସୋନୁ ଏବଂ ଅହିରଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ ହୋଇଛି। ସମସ୍ତ ୯ ଅଭିଯୁକ୍ତଙ୍କୁ ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରୋହିଣୀ କୋର୍ଟରେ ହାଜର କରାଯାଇଥିଲା। ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ କୁହାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ସ୍ଥାନକୁ ନେବା ଆବଶ୍ୟକ ଥିବାରୁ ପୋଲିସ ଅଭିଯୁକ୍ତମାନଙ୍କୁ ୮ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ଉତ୍ତରପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ପୋଲିସ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଥିଲେ। ଢେଲାମାଡ଼ ସହ କେତେକ ଗାଡ଼ିକୁ ଜାଳି ଦିଆଯାଇଥିଲା। ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

Share