Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା ମାମଲା: ୮ ଅଭିଯୁକ୍ତଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୮।୫: ଦିଲ୍ଲୀର ରୋହିଣୀ କୋର୍ଟ ରବିବାର ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ କରାଗଲେ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏପରି କି ଅଭିଯୁକ୍ତଙ୍କ ନାମରେ ଆପରାଧିକ ମାମଲା ରହିଛି। ତେଣୁ ତାଙ୍କୁ ମୁକ୍ତ କରାଗଲେ ସାକ୍ଷୀ ଦେବାକୁ ଆଉ କେହି ଆସିବେ ନାହିଁ ବୋଲି କୋର୍ଟ ପକ୍ଷରୁ ଅବଗତ କରାଯାଇଛି। ଅନ୍ୟପକ୍ଷେ କୋର୍ଟ ଦିଲ୍ଲୀ ପୋଲିସକୁ ତାଗିଦା କରିଛନ୍ତି। ଅନୁମତି ନ ଥାଇ କିପରି ଶୋଭାଯାତ୍ରା ହେଲା ବୋଲି କୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ଏହା ଦିଲ୍ଲୀ ପୋଲିସର ବିଫଳତାକୁ ପଦାରେ ପକାଇଛି।

ସୂଚନାଯୋଗ୍ୟ, ଗତ ୧୬ତାରିଖ ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ଧାର୍ମିକ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟି ଏହା ଉଗ୍ରରୂପ ନେଇଥିଲା। ପଥରମାଡ଼ରେ ୮ଜଣ ପୋଲିସ କର୍ମଚାରୀଙ୍କ ସହ ସ୍ଥାନୀୟ ଜଣେ ଲୋକ ଗୁରୁତର ହୋଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share