Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା ମାମଲା: କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୭: ଜାହାଙ୍ଗୀରପୁରୀ ହିଂସା ମାମଲାରେ ଗୁରୁବାର ଦିଲ୍ଲୀ ପୋଲିସ ରୋହିଣୀ କୋର୍ଟରେ ୨୦୬୩ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ମୋଟ ୩୭ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହି ଚାର୍ଜଶିଟ୍‌ରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଦଙ୍ଗା, ଆକ୍ରମଣ, ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ହୋଇଛି। ଜାହାଙ୍ଗୀରପୁରୀ ହିଂସା ମାମଲାରେ ଏହା ଦିଲ୍ଲୀ ପୋଲିସର ପ୍ରଥମ ଚାର୍ଜଶିଟ୍‌।
ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ମୋବାଇଲ ଏବଂ ସିସିଟିଭି ଫୁଟେଜ ସହିତ ଫେସ ରିକଗନିସନ ସଫ୍ଟୱେର୍‌ (ଏଫଆର୍‌ଏସ୍‌) ସିଷ୍ଟମ ବ୍ୟବହାର କରିଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ଶୋଭାଯାତ୍ରା କରାଯାଇଥିଲା। ପଥର ଫିଙ୍ଗିବା କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ହିଂସାରେ ପ୍ରବଳ ପଥର ମାଡ ହୋଇଥିଲା ଏବଂ ଅନେକ ଗାଡିରେ ନିଆଁ ଲଗାଇଦିଆଯାଇଥିଲା। କେବଳ ଏତିକି ନୁହେଁ, ଅଭିଯୁକ୍ତମାନେ ବେଆଇନ ପିସ୍ତଲରୁ ଗୁଳି ଚଳାଇଥିଲେ। ଏହି ହିଂସାରେ ୮ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

Share