Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା, ୫ ପ୍ରଶ୍ନ ଘେରରେ ପୋଲିସ…

ନୂଆଦିଲ୍ଲୀ, ୧୮।୪ : ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ  ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ହିଂସାର ଦୁଇ ବଡ଼ ଅଭିଯୁକ୍ତ ଅନସର ଏବଂ ଅସଲାମଙ୍କ ସମେତ ୨୩ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଧାରଣ ଲୋକଙ୍କ ସମେତ ଏହି ହିଂସାରେ ଆଠ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଜାହାଙ୍ଗୀରପୁରୀ ସମେତ ସମଗ୍ର ଦେଶରେ ଘଟିଥିବା ହିଂସା ଘଟଣାରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଞ୍ଚ ପାଇଁ ଦାବି କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୋମବାର ସକାଳେ ଆହତ ଏସଆଇ ମେଦା ଲାଲଙ୍କୁ ଭେଟି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ତାଙ୍କୁ ପୋଲିସ ବିଭାଗ ସମସ୍ତ ସାହାଯ୍ୟ କରିବ ବୋଲି ସେ ସବ-ଇନ୍ସପେକ୍ଟରଙ୍କୁ ଆଶ୍ୱାସନା ଦେଇଛନ୍ତି।

ତେବେ ହିଂସାକୁ ନେଇ ଦିଲ୍ଲୀ ପୋଲିସ ଉପରେ ୫ଟି ଗୁରୁତର ପ୍ରଶ୍ନ ଉଠିଛି। ତାହାର ଉତ୍ତର ଏପର୍ଯ୍ୟନ୍ତ ମିଳି ନାହିଁ।

ପ୍ରଥମ ପ୍ରଶ୍ନ ହେଉଛି, ଯଦି ହିଂସା ଘଟିବାର ଗୋଇନ୍ଦା ସୂଚନା ମିଳିଥିଲା ତେବେ କାହିଁକି ଶୋଭାଯାତ୍ରା ବନ୍ଦ ହୋଇ ନ ଥିଲା?

ଦ୍ୱିତୀୟ ପ୍ରଶ୍ନ ହେଉଛି, ୩୬ ଘଣ୍ଟା ପରେ ଫୋରେନସିକ ଦଳ କାହିଁକି ପହଞ୍ଚିଲେ?

ତୃତୀୟ ପ୍ରଶ୍ନ ହେଉଛି ହିଂସାର ପ୍ରକୃତ ମାଷ୍ଟରମାଇଣ୍ଡ କିଏ?

ଚତୁର୍ଥ ପ୍ରଶ୍ନ ହେଉଛି, ଜାହାଙ୍ଗୀରପୁରୀ ସମ୍ବେଦନଶୀଳ ଅଞ୍ଚଳ, ଏପରିସ୍ଥଳେ କାହିଁକି ସୁରକ୍ଷା ବ୍ୟବସ୍ଥା ନ ଥିଲା?

ସେହିପରି ପଞ୍ଚମ ପ୍ରଶ୍ନ ହେଉଛି, ହିଂସାକୁ ରୋକିବାରେ ପୋଲିସ କାହିଁକି ବିଫଳ ହେଲା?

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଫୋରେନସିକ ଟିମ ପ୍ରମାଣ ସଂଗ୍ରହ କରୁଛନ୍ତି। ଶୀଘ୍ର କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳକୁ ଯିବେ ଏବଂ ଏକ ନମ୍ବର ଜାରି କରାଯାଇପାରେ। ଏହା ପରେ ଲୋକମାନଙ୍କୁ ଏହି ନମ୍ବରରେ ଫଟୋ ଏବଂ ଭିଡିଓ ପଠାଇବା ପାଇଁ ଅନୁରୋଧ କରାଯାଇପାରେ। ଏହା ଆଧାରରେ ସାଇବର ସେଲ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାର ଉଦ୍ୟମ ହୋଇପାରେ ବୋଲି କୁହାଯାଉଛି।

Share