ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସୂଚନା ମତାବକ ଗତ କିଛି ଦିନରୁ ସେ ଅସୁସ୍ଥ ଥିଲେ। ବୁଧବାର ସକାଳ ୮ଟାରେ ତାଙ୍କର ନିଧନ ଘଟିଛି। ବୁଧବାର ସନ୍ଧ୍ୟା ୫ଟାରେ ତାଙ୍କର ଅନ୍ତିମ ସଂସ୍କାର ଇନ୍ଦୋରରେ ଅନୁଷ୍ଠିତ ହେବ। ଜୟ ପ୍ରକାଶଙ୍କ ସାନ ପୁଅ ମୁମ୍ବାଇରେ ରହୁଥିବା ବେଳେ ତାଙ୍କୁ ଅପେକ୍ଷା କରାଯାଇଛି। ଚୌକସିଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସୂଚନାଯୋଗ୍ୟ, ୧୯୩୯ ସେପ୍ଟେମ୍ବର ୧ରେ ମଧ୍ୟପ୍ରଦେଶର ବୁରହାନପୁରରେ ଜୟ ପ୍ରକାଶ ଚୌକସି ଜନ୍ମଗ୍ରହଣ କରିଥିଲେ। ଦେଶର ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକା ଓ ଖବରକାଗଜରେ ଜୟ ପ୍ରକାଶଙ୍କ ଅନେକ ପ୍ରବନ୍ଧ ଏବଂ ଚଳଚ୍ଚିତ୍ର ସମୀକ୍ଷା ପ୍ରକାଶ ପାଇଥିବା ବେଳେ ତାଙ୍କର ବେଶ୍‌ ନାଁ ରହିଛି। ଅନେକ ପାଠକ ତାଙ୍କ ଲେଖାକୁ ଭଲ ପାଉଥିଲେ। ଗତ ସପ୍ତାହରେ ତାଙ୍କର ଲୋକପ୍ରିୟ ସ୍ତମ୍ଭ ଫିଲ୍ମ ‘ପରଦେ କେ ପିଛେ’ର ଶେଷ ଲେଖା ଥିଲା। ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ତାଙ୍କର ମତ ହେଉ କିମ୍ବା ତାଙ୍କ ଦ୍ୱାରା କରାଯାଇଥିବା ଚଳଚ୍ଚିତ୍ରର ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଥିଲା। କୁହାଯାଏ, ସେ କପୁର ପରିବାର ଓ ସଲିମ ଖାଁଙ୍କ ପରିବାରର ସହ ଅତି ଘନିଷ୍ଠ ଥିଲେ।

Share