Categories: ଜାତୀୟ

୫ଶହ ଟଙ୍କାରେ ଜେଲ ଅନୁଭୂତି

ଡେରାଡୁନ୍‌, ୨୯ା୯: ଜାତକରେ ଗ୍ରହଚଳନ ପାଇଁ ଭୋଗିବାକୁ ପଡ଼ୁଥିବା ବନ୍ଧନ ଦୋଷର ସମାଧାନ ଏଣିକି ସହଜ ହୋଇଛି। ମାତ୍ର ୫୦୦ ଟଙ୍କାରେ ଏହି ଦୋଷରୁ ଯେ କେହି ବି ନିଜକୁ ମୁକ୍ତ କରିପାରିବେ। ଉତ୍ତରାଖଣ୍ଡର ହଲଦଓ୍ବାନି ଜେଲ କର୍ତ୍ତୃପକ୍ଷ ବନ୍ଧନ ଦୋଷର ପ୍ରତିକାର ଏବଂ ଜେଲର ଅନୁଭୂତି ନେବା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ନିଆରା ଯୋଜନା ପ୍ରସ୍ତୁତ କରିଛନ୍ତି। ନିର୍ଦ୍ଧାରିତ ଟଙ୍କା ଦେଇ ଯେ କୌଣସି ବ୍ୟକ୍ତି ଜେଲରେ ଯାଇ ସମୟ କାଟିପାରିବେ। ଯେଉଁ ବ୍ୟକ୍ତିଙ୍କ ଜାତକରେ ‘ବନ୍ଧନ ଯୋଗ’ ଦୋଷ ରହିଛି ସେମାନେ ୫୦୦ ଟଙ୍କାରେ ଏହି ଦୋଷର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

୧୯୦୩ରେ ହଲଦଓ୍ବାନି ଜେଲ ତିଆରି ହୋଇଥିଲା। ଜେଲ ପରିସରରେ ଥିବା ୬ଟି ଷ୍ଟାଫ୍‌ କ୍ୱାର୍ଟର୍ସକୁ ଅତିଥିଙ୍କ ଜେଲ ଭାବେ ବ୍ୟବହାର କରାଯିବ। ପୂର୍ବରୁ କେତେଜଣ ଲୋକଙ୍କୁ ଜେଲରେ କିଛି ସମୟ ପାଇଁ ବନ୍ଦ କରି ରଖିବା ଲାଗି କର୍ମଚାରୀଙ୍କୁ ଉଚ୍ଚାଧିକାରୀମାନେ ନିର୍ଦ୍ଦେଶ ଦେଉଛନ୍ତି। ଖାଲି ଜେଲରେ ରହିବା ନୁହେଁ ବରଂ ସେମାନଙ୍କୁ କଏଦୀଙ୍କ ପୋଷାକ ପିନ୍ଧିବାକୁ ଦିଆଯାଉଥିବାବେଳେ ବନ୍ଦୀମାନଙ୍କ ଖାଦ୍ୟ ମଧ୍ୟ ସେମାନେ ଖାଉଥିବା କର୍ତ୍ତୃପକ୍ଷ କହିଛନ୍ତି। ବିଶେଷ କରି ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ବନ୍ଧନ ଦୋଷ ରହିଛି ସେମାନଙ୍କ ଦୋଷକୁ କାଟିବା ପାଇଁ ଏପରି କରାଯାଉଥିବା କୁହାଯାଉଛି।

ସ୍ଥାନୀୟ ଜ୍ୟୋତିର୍ବିଦ୍‌ ମୃତ୍ୟୁଞ୍ଜୟ ଓଝାଙ୍କ କହିବା ଅନୁସାରେ ଜାତକରେ ଶନି ଓ ମଙ୍ଗଳ ଗ୍ରହର ସ୍ଥାନ ପରିବର୍ତ୍ତନ ଫଳରେ ସେମାନେ ଯଦି ପ୍ରତିକୂଳ ସ୍ଥାନରେ ଅବସ୍ଥାପିତ ହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କୁ ବନ୍ଧନ ଯୋଗ ଭୋଗିବାକୁ ପଡ଼ିଥାଏ। ଏହାର ପ୍ରତିକାର ପାଇଁ ସେହି ବ୍ୟକ୍ତିଙ୍କୁ ଜେଲରେ ଗୋଟିଏ ରାତି ବା କିଛି ସମୟ କାଟିବା ପାଇଁ କୁହାଯାଉଥିବା ମୃତ୍ୟୁଞ୍ଜୟ କହିଛନ୍ତି।

Share