୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ୫୩ ବର୍ଷୀୟ ବ୍ୟକ୍ତି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା ସହ ୧୦ ହଜାର ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ୬ ମାସ ଅଧିକ ଜେଲ୍‌ ଦଣ୍ଡାଦେଶ ଆଦେଶ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ କମ୍ପାନୀ ପଦୁକାର। ଘର ଘଟଗାଁ ଥାନା ମଶିଣାବିଲା ଗ୍ରାମରେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ୨୦୨୩ ଏପ୍ରିଲ ୯ରେ ମା-ବାପା ମହୁଲ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ପୀଡ଼ିତା ଏକୁଟିଆ ଘର ପାଖରେ ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଦୋଷୀ କମ୍ପାନୀ ଏହାର ସୁଯୋଗ ନେଇ ପୀଡ଼ିତାଙ୍କୁ କିଛି ଦୂରକୁ ଟେକି ନେଇଯାଇଥିଲେ। ସେ ପାଟି କରିବାକୁ ମୁହଁ ବନ୍ଦ କରି ବଳାତ୍କାର କରିଥିଲେ। ଏହା ପରେ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହି ସମୟରେ ପୀଡ଼ିତାଙ୍କ ମା’-ବାପା ଘରକୁ ଫେରିବା ବେଳେ ଘର ନିକଟରୁ କମ୍ପାନୀ ଯାଉଥିବା ଦେଖିଥିଲେ। ପରେ ଘରେ ପହଞ୍ଚିବା ବେଳେ ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ କାନ୍ଦୁଥିବା ଦେଖିଥିଲେ। ପଚାରିବାରୁ ସେ ମା’-ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତାକୁ ସଙ୍ଗେ ସଙ୍ଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବଳାତ୍କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ଫାଷ୍ଟ ଟ୍ରାକ୍‌ କୋର୍ଟ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି। ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଫିକ୍ସଡ୍‌ ଡିପୋଜିଟ ଜମା ଆକାରରେ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧୀକରଣଙ୍କ ନିକଟକୁ ସୁପାରିସ କରିଥିବା କହିଛନ୍ତି।

Share