Categories: ଜାତୀୟ

୪୦୦ ଟାର୍ଗେଟ ପାଇଁ ଜେଲ

ପିଲିଭିଟ୍‌,୧୩ା୪: ଲୋକ ସଭା ନିର୍ବାଚନରେ ୪୦୦ ଆସନ ଦଖଲ ନେଇ ଦାବି କରୁଥିବା ଲୋକେ ଏତେ ଆତଙ୍କିତ ହୋଇଯାଇଛନ୍ତି, ଯେ ସେମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ପୂରାଇ ରଖିଛନ୍ତି ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରି ଜେଲ ପଠାଯିବା ଘଟଣାକୁ ନେଇ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସେ ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି।
ପ୍ରଦେଶର ପିଲିଭିଟ୍‌ରେ ଏସ୍‌ପିର ଏକ ସଭାକୁ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଦେଶରେ ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ସରକାର ୩ଟି କଳା ଆଇନ ଆଣିଥିଲେ। ଚାରିଆଡ଼େ ବିରୋଧ ହେବାରୁ କୃଷକଙ୍କ ଶକ୍ତି ଦେଖି ଶେଷରେ ୩ ଆଇନକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହେଲେ। ଇଲେକ୍ଟୋରାଲ ବଣ୍ଡ୍‌ ଏବଂ ବିମୁଦ୍ରୀକରଣ କଳାଧନକୁ ଧଳା କରିବାର ମାଧ୍ୟମ ନୁହେଁ କି। ଭାଜପା ବାଲା ଏଥିରେ ନିଜର ସବୁ କଳାଧନକୁ
ଧଳା କରିଦେଇଛନ୍ତି। ଦୁର୍ନୀତି ଏତେ ପରିମାଣରେ ବଢ଼ିଯାଇଛି ଯେ, ୨୦୨୪ ନିର୍ବାଚନରେ ଲୋକେ ଏମାନଙ୍କୁ କ୍ଷମତାଚ୍ୟୁତ କରିବେ ବୋଲି ଅଖିଳେଶ କହିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେଉଛି ଅଖିଳେଶଙ୍କ ପ୍ରଥମ ନିର୍ବାଚନୀ ସଭା। ଏପ୍ରିଲ ୧୯ରେ ପିଲିଭିଟ୍‌ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ୧୮ ଲକ୍ଷ ଭୋଟର ମତଦାନ କରିବେ। ୟୁପିରେ ଏସ୍‌ପି ସହ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମେଣ୍ଟ କରିଛନ୍ତି।

Share