ନୂଆଦିଲ୍ଲୀ,୨୧।୧୨: ନକଲି ସିମ୍ କାର୍ଡ ଜରିଆରେ ଠକେଇ ଏବଂ ଦେଶର ଅନ୍ୟାନ୍ୟ ଅପରାଧ ଉପରେ ସରକାର କଟକଣା ଲଗାଇବାକୁ ଯାଉଛନ୍ତି। ସଂସଦର ଉଭୟ ଗୃହରେ ଟେଲିକମ ବିଲ ୨୦୨୩ ପାରିତ ହୋଇଛି। ଏହି ବିଲରେ ନକଲି ସିମ୍ କିଣିବା ଉପରେ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି। ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହେବ।
ବୁଧବାର ଲୋକ ସଭାରେ ନୂତନ ଟେଲି ଯୋଗାଯୋଗ ବିଲ ୨୦୨୩ ପାରିତ ହୋଇଛି ଏବଂ ଆଜି ଏହା ମଧ୍ୟ ରାଜ୍ୟ ସଭାରେ ସବୁଜ ସଙ୍କେତ ପାଇଛି। ଜାତୀୟ ସୁରକ୍ଷା କାରଣରୁ ଏହି ବିଲ କୌଣସି ଟେଲିକମ ସେବା କିମ୍ବା ନେଟୱାର୍କକୁ ଗ୍ରହଣ, ପରିଚାଳନା କିମ୍ବା ସ୍ଥଗିତ ରଖିବାକୁ ଅନୁମତି ଦେଇଥାଏ। ଜନସାଧାରଣଙ୍କ ସୁରକ୍ଷା ପାଇଁ ଯଦି ଆବଶ୍ୟକ ହୁଏ, ତେବେ ସରକାର ଟେଲିକମ ନେଟୱାର୍କରେ ବାର୍ତ୍ତାଗୁଡିକୁ ଅଟକାଇ ପାରିବେ। ନୂତନ ଟେଲି ଯୋଗାଯୋଗ ବିଲ ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ଆକ୍ଟର ସ୍ଥାନ ନେବ। ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ବର୍ତ୍ତମାନ ଟେଲିକମ ସେକ୍ଟରକୁ ନିୟନ୍ତ୍ରଣ କରୁଛି।