Advertisement

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ଦେବେ ୪ ଲକ୍ଷ ଟଙ୍କା

କେନ୍ଦୁଝର,୧୪ା୧୨(ସ୍ବ.ପ୍ର.): ଜଣେ ବଳାତ୍କାରୀଙ୍କୁ ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟ ସ୍ବତନ୍ତ୍ର ବିଚାରପତି ମାନସ କୁମାର ମିଶ୍ର ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୭ ହଜାର ୫ଶହ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନାନୁଯାୟୀ, ବାମେବାରୀ ଥାନା କୁଟୁଗାଁ ଅଞ୍ଚଳର ଜଣେ ଯୁବତୀ ୨୦୨୦ ଜାନୁୟାରୀ ୨୯ରେ ଝୁମ୍ପୁରା ହାଟକୁ ଆସିଥିଲେ। ଅପରାହ୍ନରେ ଫେରିବା ବେଳେ ସିଲିସୁଆଁ ନାଳ ନିକଟରେ ତାଙ୍କୁ ଶୋଷ ହୋଇଥିଲା।ତେଣୁ ସେ ପାଣି ପିଇବା ପାଇଁ ନାଳକୁ ଯାଉଥିଲେ। ଏହି ସମୟରେ ସଦର ଥାନା ସିଲିସୁଆଁ ଗ୍ରାମର ଅଷାଢୁ ନାଏକ(୫୨) ଯୁବତୀଙ୍କୁ ଏକାକୀ ପାଇ ଟେକି ନେଇ ବଳତ୍କାର କରିଥିଲେ। ବଳାତ୍କାର ସମୟରେ ୨ ଜଣ ଲୋକ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଯୁବତୀ ଜଣକ ତାଙ୍କ ଘରେ କହିବାରୁ ପରିବାର ଲୋକ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ସଦର ଥାନା କେସ୍‌ ନଂ ୪୧/୨୦୨୦ ରୁଜୁ କରିଥିଲା। ପୋଲିସ ଅଷାଢୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି କେସ୍‌ରେ କୋର୍ଟ ୧୨ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ବୁଧବାର ଅଷାଢୁଙ୍କୁ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୭ ହଜାର ୫ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ପୀଡିତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କେସ୍‌କୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share