ଚମ୍ପୁଆ ୧୬ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ସରୋଜ କୁମାର ଦାସ ଏହାର ବିଚାର କରି ଅଭିଯୁକ୍ତ ବାପ ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଆଉ ୬ ମାସରେ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ୧୫ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରଙ୍କ ରିପୋର୍ଟ ଅନୁଧ୍ୟାନ କରି ଦୋଷୀ ବସନ୍ତ ବେହେରା ଓ ବାଙ୍କା ବେହେରାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି।
ଘଟଣା ଅନୁଯାୟୀ, ୨୦୧୬ ମସିହା ଅକ୍ଟୋବର ମାସରେ ବସନ୍ତ, ବାଙ୍କା ଏବଂ ମୃତକ ଜିମି ସିଂ କାଳୀପୂଜା ଉପଲକ୍ଷେ ତାସ ଖେଳୁଥିଲେ। ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଦୋଷୀ ବାପପୁଅ କୋଦାଳ ଦ୍ୱାରା ଜିମିଙ୍କ ମୁଣ୍ଡକୁ ଆଘାତ ଦେବା ସଙ୍ଗେ ସଙ୍ଗେ ପଥରରେ ଛେଚି ହତ୍ୟା କରି ମହତାବ ଉଚ୍ଚ ବିଦ୍ୟାଳୟ ପଛ ପଡ଼ିଆରେ ପୋଡ଼ିିଦେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଚମ୍ପୁଆ ଥାନାରେ ଜିମିଙ୍କ ପିତା ରାମେଶ୍ୱର ଲିଖିତ ଅଭିଯୋଗ ଦେବା ପୋଲିସ ଏକ ମାମଲା (ନଂ.୧୧୧/୨୦୧୬) ରୁଜୁ କରି ତଦନ୍ତ ଚଳାଇଥିଲା। ଉକ୍ତ ମାମଲାକୁ ସରକାରଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ମଧୁସୂଦନ ପତି ପରିଚାଳନା କରୁଥିଲେ।