Categories: ଜାତୀୟ

ହନିଟ୍ରାପ୍‌ଙ୍କ ସହିତ ଜେଲରଙ୍କ ଫଟୋ ଭାଇରାଲ

ଭୋପାଳ, ୩।୯: ଜଣେ ଜିଲା ଜେଲରଙ୍କ ଫଟୋ ଏବେ ସୋସିଆଲ୍‌ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ହନିଟ୍ରାପ୍‌ ଶ୍ୱେତା ବିଜୟ ଜୈନଙ୍କ ସହିତ ଇନ୍ଦୋର ଜିଲା ଜେଲର କେ.କେ.କୁଳଶ୍ରେଷ୍ଠଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରାଯାଇଛି। ଏହାକୁ ନେଇ ପୋଲିସ ବିଭାଗରେ ତନାଘନା ଜାରି ରହିଛି। ସ୍ଥିତିର ସମୀକ୍ଷା କରିବା ପାଇଁ ଡିଆଇଜି ସଞ୍ଜୟ ପାଣ୍ଡେ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଗୁରୁବାର ସେ ମହିଳା ବାରାକ୍‌ରେ ପହଞ୍ଚି ଶ୍ୱେତାଙ୍କ ବୟାନ ରେକର୍ଡ କରିଛନ୍ତି। ଗତବର୍ଷ ହନିଟ୍ରାପ୍‌ ମାମଲାରେ ଗିରଫ ହୋଇଥିବା କେତେକ ମହିଳାଙ୍କୁ ଜିଲା ଜେଲରେ ରଖାଯାଇଛି। ବୁଧବାର ମଧ୍ୟାହ୍ନରେ ଭାଇରାଲ ହୋଇଥିବା ଫଟୋରେ ଶ୍ୱେତାଙ୍କ ସହିତ କୁଳଶ୍ରେଷ୍ଠ କଥାବାର୍ତ୍ତା କରୁଛନ୍ତି। ତେବେ ଜେଲ୍‌ ମାନୁଆଲ ଅନୁସାରେ କୌଣସି ମହିଳା ଅନ୍ତେବାସୀଙ୍କ ସହିତ ପୁରୁଷ ଜେଲ ଅଧିକାରୀ ମହିଳା କର୍ମଚାରୀଙ୍କ ବିନା ଉପସ୍ଥିତିରେ କଥାବାର୍ତ୍ତା ହୋଇପାରିବେ ନାହିଁ। ଫଟୋରେ ଜେଲର କୌଣସି ମହିଳା କର୍ମଚାରୀ ମଧ୍ୟ ନାହାଁନ୍ତି। ଏବେ ଏହାକୁ ନେଇ ପୋଲିସ ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି। ଫଟୋ କିଏ ଏବଂ କେଉଁ ଉଦ୍ଦେଶ୍ୟ ରଖି ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛି ତାହାର ଯାଞ୍ଚ୍‌ ଜାରି ରହିଛି।

Share