ଜୈର୍‌ ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର

ବ୍ରାସିଲିଆ,୧।୭: ରାଜନୈତିକ କ୍ଷମତାର ଅପବ୍ୟବହାର ଓ ଗଣମାଧ୍ୟମର ଦୁରୁପଯୋଗ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କୁ ମହଙ୍ଗା ପଡ଼ିଛି। ଗତ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରବେଳେ ଲିବରାଲ୍‌ ପାର୍ଟି ପ୍ରାର୍ଥୀର ୬୮ବର୍ଷୀୟ ଦକ୍ଷିଣପନ୍ଥୀ ନେତା ନିର୍ବାଚନର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦେଶର ମତଦାନ ବ୍ୟବସ୍ଥା ଏବଂ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରାଯାଇପାରିବ ବୋଲି ସେ କହିଥିଲେ। ଡେମୋକ୍ରାଟିକ୍‌ ଲିବରାଲ ପାର୍ଟି ନେତା ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ବିଜୟକୁ ପରାଜିତ ବୋଲ୍‌ସୋନାରୋ ଗ୍ରହଣ କରିପାରି ନ ଥିଲେ। ଲୁଲା ଗତ ଜାନୁୟାରୀରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ସରକାରୀ ଅଫିସ୍‌ଗୁଡ଼ିକୁ ପଶି ଭଙ୍ଗାରୁଜା ସହ ବିଦ୍ରୋହ ଉଦ୍ୟମ କରିଥିଲେ। ନିର୍ବାଚନ ଫଳାଫଳ ପଲଟାଇବା ପାଇଁ ବୋଲ୍‌ସୋନାରୋ ନିଜ ସମର୍ଥକମାନଙ୍କୁ ଉସୁକାଇଥିବା ଡେମୋକ୍ରାଟିକ୍‌ ଲିବରାଲ ପାର୍ଟି ପକ୍ଷରୁ ଦେଶର ସର୍ବୋଚ୍ଚ ନିର୍ବାଚନୀ ଅଦାଲତ ଟିଏସ୍‌ଇରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଟିଏସ୍‌ଇ ବୋଲ୍‌ସୋନାରୋଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ବାଚନ ପ୍ରତିଦ୍ୱନ୍ଦୀତାରୁ ୮ ବର୍ଷ ବାସନ୍ଦ କରିଛନ୍ତି। ଅର୍ଥାତ୍‌ ବୋଲ୍‌ସୋନାରୋ ୭୬ ବର୍ଷରେ ଉପନିତ ହେବା ପରେ ନିର୍ବାଚନ ଲଢ଼ିପାରିବେ। ନିର୍ବାଚନୀ ଅଦାଲତଙ୍କ ରାୟ ଏହି ଦକ୍ଷିଣପନ୍ଥୀ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧକାର କରିଦେଇଛି। ୭ ଜଣ ବିଚାରପତିଙ୍କ ମଧ୍ୟରୁ ୫ ନିଲମ୍ବନ ସପକ୍ଷରେ ଭୋଟ ଦେଇଥିବାବେଳେ ୨ ଜଣ ବିଚାରପତି ବିରୋଧ କରିଥିଲେ। ନିଜ ଅନିଶ୍ଚିତ କ୍ୟାରିୟରକୁ ନେଇ ଚିନ୍ତିତ ବୋଲସୋନାରୋ କହିଛନ୍ତି, ଟିଏସ୍‌ଇ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ।

Share