ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ

ବ୍ରାସିଲିଆ୨୪ା୬: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନାସ୍ଥାଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ମିଥ୍ୟା ଦାବି କରିଥିବା ଅଭିଯୋଗ ରହିଛି। ବ୍ରାସିଲିଆସ୍ଥିତ ଏକ ସଂଘୀୟ ନିର୍ବାଚନ ଅଦାଲତରେ ଗୁରୁବାର ଏହି ୬୮ ବର୍ଷୀୟ ଦକ୍ଷିଣପନ୍ଥୀ ନେତାଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଛି। ସେ ଦୋଷୀ ସାବ୍ୟସ୍ତ ହେଲେ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ। ଅର୍ଥାତ୍‌ ବୋଲସୋନାରୋ ୭୬ ବର୍ଷରେ ଉପନୀତ ହେବା ପରେ ସ୍ବାସ୍ଥ୍ୟ ମଧ୍ୟ ତାଙ୍କୁ ରାଜନୈତିକ ରୂପେ ସକ୍ରିୟ ହେବା ପାଇଁ ଅନୁମତି ଦେଇ ନ ପାରେ।
ଗତ ଅକ୍ଟୋବରରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ପ୍ରଚାରବେଳେ ଲିବରାଲ ପାର୍ଟି ପ୍ରାର୍ଥୀ ବୋଲସୋନାରୋ ନିର୍ବାଚନର ବୈଧତାକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ, ଦେଶର ମତଦାନ ବ୍ୟବସ୍ଥାରେ ହେରଫେର କରାଯାଇପାରିବ। ନିର୍ବାଚନ ଫଳାଫଳ ମଧ୍ୟ ଏପଟସେପଟ ହୋଇପାରେ। ତାଙ୍କର ଏହି ଅଗଣତାନ୍ତ୍ରିକ ଭାଷଣ ସେତେବେଳେ ଜାତୀୟ ଟି.ଭି. ଚ୍ୟାନେଲରେ ପ୍ରସାରିତ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ନିର୍ବାଚନରେ ତାଙ୍କ ପରାଜୟ ଲାଗି ଏହି ମନ୍ତବ୍ୟକୁ ଦାୟୀ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ଲେବର ପାର୍ଟି ନେତା ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ବିଜୟକୁ ବୋଲସୋନାରୋଙ୍କ ସମର୍ଥକ ଗ୍ରହଣ କରି ନ ଥିଲେ। ଲୁଲା ଗତ ଜାନୁୟାରୀରେ ଶପଥ ନେବା ପରେ ସେମାନେ ସରକାରୀ ଅଫିସଗୁଡ଼ିକୁ ପଶି ଭଙ୍ଗାରୁଜା ସହ ବିଦ୍ରୋହ ଉଦ୍ୟମ କରିଥିଲେ। ତେଣୁ ନିର୍ବାଚନ ଫଳାଫଳ ପଲଟାଇବା ପାଇଁ ସେ ଦଙ୍ଗା ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଆସନ୍ତା ଗୁରୁବାର ଏହା ଉପରେ ରାୟ ଆସିପାରେ।

Share