‘ଯବାନ’ ସ୍କ୍ରିନିଂକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୯: ଏବେ ଦେଶରେ ଶାହରୁଖ ଖାନଙ୍କ କ୍ରେଜ ଚାଲିଛି। ସବୁଠି ତାଙ୍କ ଅଭିନୀତ ‘ଯବାନ’କୁ ନେଇ ଚର୍ଚ୍ଚା। ରିଲିଜ୍‌ର ଦୁଇ ଦିନରେ ମଧ୍ୟରେ ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିଛି। କିନ୍ତୁ ନିକଟରେ ଶାହାରୁଖଙ୍କ ଏହି ଫିଲ୍ମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ନୂତନ ସଂସଦ ଭବନରେ ‘ଯବାନ’ ସ୍କ୍ରିନିଂ ପାଇଁ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।
କିଛି ଦିନ ପୂର୍ବରୁ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ର ସଫଳତାକୁ ଦୃଷ୍ଟିରେ ରଖି ଏହି ଫିଲ୍ମଟି ନୂତନ ସଂସଦ ଗୃହରେ ଲୋକସଭା ସାଂସଦମାନଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ କଂଗ୍ରେସ ନେତା ଜୟରାମ ରମେଶ ଶାହାରୁଖଙ୍କ ଫିଲ୍ମ ସହ ଯୋଡି ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ନୂତନ ସଂସଦ ଭବନରେ ‘ଯବାନ’ ଦେଖାଇବାକୁ ମୋଦି ସରକାରଙ୍କର ସାହସ ଅଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଜୟରାମ ରମେଶ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ନୂଆ ସଂସଦ ଗୃହରେ ଗଦର ୨ ଦେଖାଯାଇଥିଲା। ‘ଯବାନ’ ସ୍କ୍ରିନିଂ କରିବା ପାଇଁ ମୋଦି ସରକାରଙ୍କର ସାହସ ମଧ୍ୟ ଅଛି କି?
ପ୍ରଥମ ଫିଲ୍ମ ଭାବେ ଗଦର ୨ ନୂତନ ସଂସଦ ଗୃହରେ ପ୍ରଦର୍ଶିତ ହୋଇଥିଲା। ଏହି ଫିଲ୍ମର ସ୍କ୍ରିନିଂ ୨୫ ଅଗଷ୍ଟରେ ହୋଇଥିଲା। ଗଦର ୨ ବର୍ତ୍ତମାନ ପର୍ଯ୍ୟନ୍ତ ୫୧୨ କୋଟିରୁ ଅଧିକ ରୋଜଗାର କରିଛି ।

Share