Categories: ଜାତୀୟ

ଏନ୍‌କାଉଣ୍ଟରରେ ଜୈଶ୍‌ ଆତଙ୍କବାଦୀ ଲମ୍ବୁ ନିହତ…

ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍‌ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ଏକ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଏନେଇ ଶନିବାର କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁୂ ସୂଚନା ଦିଆଯାଇଛି। ଅବୁ ସୈଫୁଲା ନାମକ ଏହି ଆତଙ୍କବାଦୀ ଅଦନନ,ଇସମାଇଲ ଏବଂ ଲମ୍ବୁ ନାମରେ ମଧ୍ୟ ଜଣାଶୁଣା ଥିବା ପୋଲିସ କହିଛି। ସେ ୨୦୧୭ଠାରୁ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିଲେ। ପୁଲୱାମା ଜିଲାର ତ୍ରାଲ ଅଞ୍ଚଳର ହଙ୍ଗଲମର୍ଗରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଆତଙ୍କବାଦୀଙ୍କ ସହିତ ଲମ୍ବୁ ନିତ ହୋଇଛନ୍ତି। ଲମ୍ବୁ ଆତଙ୍କବାଦୀ ମାସୁଦ ଅଜହରଙ୍କର ଘନିଷ୍ଠ ଥିଲେ।
୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମେତ ଅନ୍ୟାନ୍ୟ ଆକ୍ରମଣରେ ଲମ୍ବୁ ଜଡିତ ଥିଲେ। ପାକିସ୍ତାନୀ ଆତଙ୍କବାଦୀ ରାଉଫ ଅଜହର, ମୌଲାନା ମାସୁଦ ଅଜହର ଏବଂ ଅମ୍ମାରଙ୍କର ଜଣେ ସହଯୋଗୀ ଥିଲେ। ଲମ୍ବୁ ଜଣେ ଆଇଇଡି ବିଶେଷଜ୍ଞ ଥିଲେ। ତାଲିବାନ ଆତଙ୍କବାଦୀ ସଂଗଠନ ସହିତ ତାଙ୍କର ସମ୍ପର୍କ ରହିଥିଲା। ମୃତ ଦ୍ୱିତୀୟ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିହତ ଆତଙ୍କବାଦୀଙ୍କ ନିକଟରୁ ଏମ-୪ ରାଇଫଲ, ଏକେ-୪୭ ରାଇଫଲ, ଗ୍ଲକ ପିସ୍ତଲ ଏବଂ ଏକ ଅନ୍ୟ ପିସ୍ତଲ ଜବତ ହୋଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରୁ ଇତି ମଧ୍ୟରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ୮୭ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି।

Share