ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି କାର୍ଯ୍ୟକଳାପକୁ ନେଇ ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ୟୁକ୍ରେନ ବିବାଦ କାହାର ହିତ ପାଇଁ କାର୍ଯ୍ୟ କରୁ ନାହିଁ। ଭିତ୍ତିଭୂମି ଉପରେ ଆକ୍ରମଣ କରିବା ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟାଇବା ବିଶ୍ୱର କୌଣସି ଭାଗରେ ଗ୍ରହଣୀୟ ନୁହେଁ।

ସେ କହିଛନ୍ତି ଯେ ଭାରତ ଏପରି ଶତ୍ରୁତା ବିରୁଦ୍ଧରେ ଅଛି କାରଣ ଏହା ସମଗ୍ର ବିଶ୍ୱରେ ସମସ୍ତଙ୍କ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି। ମସ୍କୋ ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଏବଂ ଅନ୍ୟାନ୍ୟ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର ଗୋଟିଏ ଦିନ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି।

ମଙ୍ଗଳବାର ଅଷ୍ଟ୍ରେଲିଆର ଲୋଓ୍ବି ଇନଷ୍ଟିଚ୍ୟୁଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ଜୟଶଙ୍କର ଏହା କହିଛନ୍ତି। ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ କୂଟନୈତିକ ପଥକୁ ଫେରିବା ଆବଶ୍ୟକତାକୁ ସେ ଦୋହରାଇ କହିଛନ୍ତି ଯେ ଏହି ବିବାଦ କାହାର ଉପକାର କରୁନାହିଁ।

ସେ ତାଙ୍କ ଅଭିଭାଷଣରେ କରୋନା, ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ଆହ୍ବାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡ, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନର ଥ୍ରୀ-ସି ଆହ୍ବାନ ସହ ମୁକାବିଲା କରୁଛୁ। ବିବାଦର ସମାଧାନ ପାଇଁ କୂଟନୀତି ଏବଂ ଆଲୋଚନା ପଥକୁ ଫେରିବା ଆବଶ୍ୟକତା ଉପରେ ଭାରତ ବିଶ୍ୱାସ କରେ।

ଲୋଓ୍ବି ଇନଷ୍ଟିଚ୍ୟୁଟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ଲେବର ପାର୍ଟି ସରକାର କ୍ଷମତାକୁ ଆସିବା ପରେ ମୁଁ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଷଷ୍ଠ ମନ୍ତ୍ରୀ ଭାବେ ଏଠାକୁ ଆସିଛି। ଭାରତୀୟ ମନ୍ତ୍ରୀଙ୍କ ବାରମ୍ବାର ଅଷ୍ଟ୍ରେଲିଆ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ଦୃଢ଼ତା ବିଷୟରେ କହିଥାଏ।

ସେ କହିଛନ୍ତି ଯେ ସମାଜରେ ପରିବର୍ତ୍ତନ ଏବଂ ବ୍ୟାପକ ସ୍ବାର୍ଥ ଯୋଗୁ ପରସ୍ପରର ରଣନୀତି ଏବଂ ଆହ୍ବାନ ପାଇଁ ଆମର ଆଗ୍ରହ ଏବଂ ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ମୁଁ ନିଶ୍ଚିତ ଯେ ଏହି ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ।

Share