ବାଲିରେ ଜୟଶଙ୍କର-ଓ୍ବାଙ୍ଗ ଭେଟ…

ବାଲି, ୭।୭ : ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ବାଲିରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ତାଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ସୀମା ସ୍ଥିତି, ଚାଇନାର ଭାରତୀୟ ଛାତ୍ର ଏବଂ ବିମାନ ଉପରେ ପ୍ରତିବନ୍ଧକ ବିଷୟରେ କହିଛନ୍ତି।

ବାଲିରେ ଅନୁଷ୍ଠିତ ଜି -୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜୟଶଙ୍କର ଏବଂ ଓ୍ବାଙ୍ଗଙ୍କ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା। ଜୟଶଙ୍କର ଟୁଇଟ କରି କହିଛନ୍ତି, ’ଆଜି ବାଲିରେ ମୁଁ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସାକ୍ଷାତରୁ ଦିନ ଆରମ୍ଭ କଲି। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ଏଥିରେ ସୀମା ପରିସ୍ଥିତି ସମେତ ସମସ୍ତ ବିଚାରାଧୀନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ମୁଁ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଛାତ୍ର ଏବଂ ଉଡ଼ାଣ ପ୍ରସଙ୍ଗ ଉଠାଇଥିଲି। ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଜି -୨୦ ବୈଠକରେ ଏହାର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଭାରତ ଏବଂ ଚାଇନା ସୀମା ବିବାଦ ଉପରେ ଆଲୋଚନା କରିଥିଲେ। ବରିଷ୍ଠ କମାଣ୍ଡରଙ୍କ ପରବର୍ତ୍ତୀ ରାଉଣ୍ଡ ବୈଠକ ଶୀଘ୍ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ।
୨୦୨୦ରେ ଲଦାଖର ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ବହୁ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ହୋଇଛି। କିନ୍ତୁ ସେନା ପ୍ରତ୍ୟାହାର କେବଳ କିଛି ସୀମା ପଏଣ୍ଟରୁ କରାଯାଇଛି। ସମ୍ପୂର୍ଣ୍ଣ ସାମରିକ ପ୍ରତ୍ୟାହାରକୁ ନେଇ ଏବେ ମଧ୍ୟ ସମସ୍ୟା ରହିଛି।

Share