ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କର ଚାଇନା ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। ପ୍ରାୟ ୨ ଘଣ୍ଟାରୁ ଅଧିକ ଘଣ୍ଟା ଧରି ଉଭୟ ନେତା ଆଲୋଚନା କରିଥିଲେ। ସୀମା ବିବାଦର ଆପୋଷ ସମାଧାନ ପାଇଁ ୫ ସୁତ୍ରୀ ଫର୍ମୁଲା ଉପରେ ସମ୍ମତି ପ୍ରକାଶ ପାଇଛି।

ଦୁଇ ବୈଦେଶିକ ମନ୍ତ୍ରୀ ସହମତ ହୋଇଥିଲେ ଯେ ସାମ୍ପ୍ରତିକ ପରିସ୍ଥିତି କାହା ହିତରେ ନାହିଁ। ସେଥିପାଇଁ ସୀମାରେ ଅବସ୍ଥିତ ଦୁଇ ଦେଶର ସୈନ୍ୟବାହିନୀ କଥାବାର୍ତ୍ତା ଜାରି ରଖିବା, ଉପଯୁକ୍ତ ଦୂରତା ବଜାୟ ରଖିବା ଏବଂ ଉତ୍ତେଜନା ହ୍ରାସ କରିବା ଉଚିତ୍‌।

ମିଳିତ ବିବୃତ୍ତି ଅନୁଯାୟୀ, ଜୟଶଙ୍କର ଏବଂ ୱାଙ୍ଗ ଏକମତ ହୋଇଥିଲେ ଯେ ଭାରତ-ଚାଇନା ସମ୍ପର୍କକୁ ବିକଶିତ କରିବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତିରୁ ଉଭୟ ପକ୍ଷ ମାର୍ଗଦର୍ଶନ ନେବା ଉଚିତ। ଯେପରିକି ଉଭୟ ଦେଶ ମଧ୍ୟରେ ମତଭେଦ ହେଲେ ତାହା ଯେମିତି ବିବାଦରେ ପରିଣତ ନ ହେବ।

ସୀମା ପରିଚାଳନା ସହ ଜଡିତ ସମସ୍ତ ଚୁକ୍ତିନାମା ଏବଂ ନିୟମ ପାଳନ କରାଯିବ। ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ଏବଂ ଉତ୍ତେଜନା ବୃଦ୍ଧି ରୋକିବା ଉପରେ ମଧ୍ୟ ଆଲୋଚନା ହୋଇଛି।

ଜୟଶଙ୍କର ଏବଂ ୱାଙ୍ଗ ଆଲୋଚନାରେ ସହମତ ହୋଇଥିଲେ ଯେ ସୀମାରେ ପରିସ୍ଥିତି ସୁଧୁରିବା ସହିତ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଉଭୟ ପକ୍ଷ ଦ୍ରୁତ ଗତିରେ ଆଗକୁ ବଢିବା ଉଚିତ୍‌।

ସ୍ବତନ୍ତ୍ର ପ୍ରତିନିଧୀ (ଏସ୍‌ଆର୍‌) ପ୍ରଣାଳୀ ମାଧ୍ୟମରେ ଭାରତ-ଚାଇନା ସୀମା ପ୍ରସଙ୍ଗରେ ଆଲୋଚନା ଏବଂ ଯୋଗାଯୋଗ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ-ଚାଇନା ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟ ପ୍ରଣାଳୀ ଏହାର ବୈଠକରେ ଜାରି ରହିବା ଉଚିତ୍‌।

Share