କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା ବାଡ଼ନାହିଁ। ବର୍ଷା ହୋଇ ନ ଥିବାବେଳେ ପଥଚାରୀ ଓ ଯାନବାହନ ଯାତାୟାତ ସୁରକ୍ଷିତ ନ ଥିଲା। ଏବେ ନାଳର ୨ କୁଳ ଖାଉଥିବାବେଳେ ପୋଲ ଉପରେ ୩ ଫୁଟ ପାଣି ଚାଲୁଛି। ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଯୋଗୁ ଡମଶାଳ ନାଳର ଉତ୍ପତ୍ତିସ୍ଥଳ ମହାଗିରି ପାହାଡ଼ ପାଦଦେଶ କଅଁସ ପଞ୍ଚାୟତ ଟିକରପଡ଼ା ଅଞ୍ଚଳର ପାହାଡ଼ରୁ ପାଣି ସହ ବିଭିନ୍ନ ଖଣି ଡମ୍ଫର ପଟୁ ମିଶା ପାଣି ନାଳରେ ଆସୁଛି। ଫଳରେ ଡମଶାଳ ନାଳ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କାଳିଆପାଣି ଅଞ୍ଚଳରୁ ଢେଙ୍କାନାଳ ଓ କେନ୍ଦୁଝର ଅଞ୍ଚଳକୁ ସେହି ରାସ୍ତା ଦେଇ ଅନେକ ବସ୍ ଯାତାୟାତ କରିଥାଏ। ସେହିପରି କାଠପାଳ, ଡଙ୍ଗାପାଳ, ମରୁଆବିଲ, କୁଚିଡ଼ାବାଙ୍କ, ସେଣ୍ଡସର, ବିରାଶାଳ, ଭାଲୁଟାଙ୍ଗର, ବନ୍ଦାଣିଆ, କୁସୁମଘୁଟ ଓ ବାଟଗାଁର ଲୋକେ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ହେଲେ ବର୍ଷା ପାଣି ନାଳ ପୋଲ ଉପରେ ଚାଲିବାରୁ ଖଣି କାର୍ଯ୍ୟରେ କେହି ପହଞ୍ଚି ପାରିନାହାନ୍ତି। ବେଦାନ୍ତ ଫେକର କମ୍ପାନୀର କଲୋନୀ କାଠପାଳରେ ରହିଥିବାବେଳେ ଖଣି ଓସ୍ତପାଳ, କଲରଙ୍ଗୀରେ ରହିଛି। ସେ ଖଣିର କୌଣସି କର୍ମଚାରୀ କାର୍ଯ୍ୟ କରିବା ପାଇଁ ଯାଇପାରିନାହାନ୍ତି। ଫଳରେ ଖଣି ସହ ଅତ୍ୟାବଶ୍ୟକ କାର୍ଯ୍ୟ ପ୍ରଭାବିତ ହୋଇଛି। ଦୀର୍ଘଦିନ ହେବ ଅଞ୍ଚଳ ଲୋକେ ଡମଶାଳ ନାଳଉପରେ ଏକ ସେତୁ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ତାହା ହୋଇପାରୁନାହିଁ। ପ୍ରଶାସନ ଓ ରାଜନେତାଙ୍କ ଆନ୍ତରିକତା ଅଭାବରୁ ପୋଲ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସେତୁ ନିର୍ମାଣ କରିବାକୁ ଦାବି ହୋଇଛି।