ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ଭୁବନେଶ୍ୱର,୧୩ା୯(ଅସମାପିକା ସାହୁ): ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ। ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡ଼ିଶାର ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଚମତ୍କାର ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଏହି ମହାନ ଐତିହାସିକ ବ୍ୟକ୍ତିତ୍ୱ ପାଇଁ ଏହା ଏକ ବିନମ୍ର ଶ୍ରଦ୍ଧାଞ୍ଜଳି। ଯିଏ ଓଡ଼ିଶାର ଗୌରବ ବଢ଼ାଇଥିଲେ।

୨୦୨୪ରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ୪୬ ଏକର ପରିମିତ ଜାଗାରେ ରହିଥିବା ବେଳେ ୫୨୬.୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଯାଜପୁରର ନୂତନ ମେଡିକାଲ କଲେଜ ସପକ୍ଷରେ ୨୦୨୪୦୨୫ ଏକାଡେମିକ ଅଧିବେଶନ ପାଇଁ ୧୦୦ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର ଆଡମିଶନ ପାଇଁ ଲେଟର ଅଫ୍‌ ପର୍‌ମିଶନ (ଏଲ୍‌ଓପି) ପ୍ରଦାନ ପାଇଁ ରାଜ୍ୟ ସରକାର ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ଙ୍କ ନିକଟରେ ଆବେଦନ କରିବା ପ୍ରକ୍ରିୟାରେ ଅଛନ୍ତି।

ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଖୋଲିବା ସହିତ ଓଡ଼ିଶାର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ସଂଖ୍ୟା ୧୨କୁ ବୃଦ୍ଧି ପାଇବ ଏବଂ ପ୍ରତିବର୍ଷ ୧୬୫୦ ଏମ୍‌ବିବିଏସ୍‌ ଛାତ୍ର ବାହାରିବେ।

Share