ବଲିଉଡ୍‌, ଓଲିଉଡ୍‌ ସଙ୍ଗୀତରେ ମତୁଆଲା ଦର୍ଶକ

ଯାଜପୁର ଟାଉନ,୧୧ା୨ (ଡି.ଏନ.ଏ.): ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଯାଜପୁର ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୁକ୍ରବାର ବଲିଉଡ୍‌ ଓ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ବଲିଉଡ଼ କଣ୍ଠଶିଳ୍ପୀ ଆୟୁଷମାନ ଖୁରାନା ଓ ତାଙ୍କ ଦଳ ମଞ୍ଚରେ ” ନଜମ୍‌ ନଜମ୍‌…“ ” ମିଟି ଦା ଖୁସ୍‌ବୁ…“ ” ଜ୍ୟାଦା ନଶା…“ ”ପାନି ଦା ରଙ୍ଗ୍‌…“ ସଙ୍ଗୀତ ପରିବେଷଣ କରିବା ସହ ନୃତ୍ୟ ପରିବେଷଣ କରୁଥିବାବେଳେ ତାଙ୍କର ସଙ୍ଗୀତ ମୂର୍ଚ୍ଛନାରେ ଦର୍ଶକ ବିଭୋର ହୋଇ ନାଚିଥିଲେ। ସେହିପରି ଓଡ଼ିଆ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ମଞ୍ଚରେ ଯାଯାବର ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ। ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ଉପସ୍ଥାପକ ପୁପିନ୍ଦର ଓ ଉପସ୍ଥାପିକା ଗୁନ୍‌ଗୁନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟ ମ୍ୟୁଜିକ ଓ ନୃତ୍ୟ ଗ୍ରୁପ ମଞ୍ଚରେ ସଙ୍ଗୀତ, କଳିଙ୍ଗଭାରତୀ ସାଂସ୍କୃତିକ ଗ୍ରୁପ ଓ ମା’ ଯଶୋଦା କଳା ପରିଷଦ କଳାକାର ନୃତ୍ୟ ପରିବେଷଣ କରିଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଭାଇଭଉଣୀ ଯାଜପୁର ବ୍ଲକ ଝାଲପଡ଼ା ଗ୍ରାମର ସତ୍ୟବ୍ରତ ସାହୁ ଓ ସାଗରିକା ପ୍ରିୟଦର୍ଶନୀ ସାହୁ ମଞ୍ଚରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ସେହିପରି ପଲ୍ଲିଶ୍ରୀ ମେଳା ସଙ୍ଗମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବାଳାଶ୍ରମ ପଡ଼ିଆରେ ୫୦ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଏକତ୍ରିତ ହୋଇଥିଲେ। ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଞ୍ଚାଳନ କରିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଉପସ୍ଥିତ ଥିଲେ।