Categories: ଖେଳ

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୪ ଉଇକେଟରେ ୨୫୭ ରନ୍‌ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୨୪୭ ରନ୍‌ କରି ପାରିଥିଲା।

ମୁମ୍ବାଇ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଓପନର ଜେକ୍‌ ଫ୍ରେଜର ମ୍ୟାଗ୍ରୁକ୍‌ଙ୍କ ଦ୍ରୁତ ୮୪ ରନ୍‌ ବଳରେ ଦୃଢ ଆରମ୍ଭ କରିଥିଲା କ୍ୟାପିଟାଲ୍ସ। ୨୭ ବଲ୍‌ର ଇନିଂସରେ ଜେକ୍‌ ୧୧ ଚୌକା ଓ ୬ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପୋରେଲ ୩୬ ଓ ଶାଇ ହୋପ ୪୧ ରନ୍‌ କରିଥିଲେ। ଅଧିନାୟକ ରିଷଭ ପନ୍ତ ୨୯ ରନ୍‌ କରି ଆଉଟ ହୋଇଥିବା ବେଳେ ଶେଷ ଭାଗରେ ଟ୍ରିଷ୍ଟାନ ଷ୍ଟବ୍ସ ଦ୍ରୁତ ୪୮ ରନ୍‌ କରିଥିଲେ। ୨୫ ବଲ୍‌ର ଇନିଂସରେ ସେ ୬ ଚୌକା ଓ ୨ ଛକା ମାରିଥିଲେ। ମୁମ୍ବାଇ ପକ୍ଷରୁ ଲୁକ୍‌ ଉଡ୍‌, ଯଶପ୍ରୀତ ବୁମ୍‌ରା, ପୀୟୂଷ ଚାଓ୍ବଲା ଓ ମହମ୍ମଦ ନବି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ଗତିରେ ସ୍କୋର କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରୁ ୧୦ ରନ୍‌ ଦୂରରେ ରହିଥିଲା। ଦଳ ପକ୍ଷରୁ ତିଳକ ବର୍ମା ୬୩, ହାର୍ଦ୍ଦିକ ପାଣ୍ଡ୍ୟା ୪୬ ଓ ଟିମ୍‌ ଡେଭିଡ୍‌ ୩୭ ରନ୍‌ କରିଥିଲେ। ତିଳକ ୩୨ ବଲ୍‌ ଖେଳି ୪ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ରଶିକ୍‌ ଦର ସଲାମ ଓ ମୁକେଶ କୁମାର ୩ଟି ଲେଖାଏ, ଖଲିଲ ଅହମଦ ୨ ଉଇକେଟ ନେଇଥିଲେ। ଜେକ୍‌ ଫ୍ରେଜର ମ୍ୟାଗ୍ରୁକ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

 

Share