Categories: ଜାତୀୟ

ମଙ୍ଗଳବାରଠୁ ଆରମ୍ଭ ହେବ ଜଳ ଦୀପାବଳି – “ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ”

ନୂଆଦିଲ୍ଲୀ,୬।୧୧: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ମହତ୍ତ୍ୱାକାଂକ୍ଷୀ ଯୋଜନା ଅଟଳ ମିଶନ ଫର ରିଜୁଭିନେସନ୍‌‌ ଆଣ୍ଡ୍‌‌ ଅର୍ବାନ ଟ୍ରାନ୍ସଫରମେସନ୍‌‌ (ଅମୃତ) ଅଧୀନରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଘଟଖଗ) ସହଭାଗିତାରେ ‘ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ’ ଅଭିଯାନ ଉନ୍ମୋଚନ କରିବାକୁ ଯାଉଛି। ଏହାର ଜ୍ଞାନ ସହଯୋଗୀ ହେଉଛି ଓଡ଼ିଶା ଅର୍ବାନ ଏକାଡେମୀ। ଏହି ଅଭିଯାନ ଜଳ ଦୀପାବଳି ପାଳନ କରେ ଏବଂ ଏହା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି, ଜଳ ଶାସନରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା। ସେମାନେ ନିଜ ସହରରେ ଥିବା ଜଳ ବିଶୁଦ୍ଧୀକରଣ କାରଖାନା ପରିଦର୍ଶନ ମାଧ୍ୟମରେ ଜଳ ବିଶୋଧନ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ଆହାରଣ କରିବେ। ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଁଞ୍ଚାଇବା ଲାଗି ଏଥିରେ ଯୋଜନା ରହିଛି। ଫଳରେ ଜଳ ଭିତ୍ତିଭୂମି ଓ ଏହାର ଗୁଣବତ୍ତା ବିଷୟରେ ମହିଳାମାନେ ଏ ଦିଗରେ ସଚେତନ ହୋଇପାରିବେ।

ଭାରତରେ ୩ ହଜାରରୁ ଅଧିକ ଜଳ ବିଶୋଧନଗାର ଅଛି। ଏହି ଅଭିଯାନ ସମୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୫୫୦ରୁ ଅଧିକ ଜଳବିଶୋଧନଗାର ପରିଦର୍ଶନ କରିବେ। ମହିଳାମାନେ ଘରୋଇ ଜଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ସେମାନଙ୍କୁ ଜଳବିଶୋଧନ ପ୍ରକ୍ରିୟା ଏବଂ ଭିତ୍ତିଭୂମି ବିଷୟରେ ଜ୍ଞାନ ସହିତ ସଶକ୍ତ କରାଯାଇ ପରିବାର ଲାଗି ନିରାପଦ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସେମାନଙ୍କର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜଳ ଦୀପାବଳୀର ପ୍ରଥମ ପର୍ଯ୍ୟାୟରେ ‘ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା’ ଅଭିଯାନ’ ନିର୍ବାଚନରେ ୫ଟି ରାଜ୍ୟକୁ ବାଦ୍‌‌ ଦେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ୧୫ ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଭାଗ ନେବେ ବୋଲି ଆଶା କରାଯାଉଛି।

Share