ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲେ

ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ ଦିଗାଲ ଏବଂ ତାଙ୍କର ସ୍ତ୍ରୀ ଶାନ୍ତି ଦିଗାଲ ଗଣମାଧ୍ୟମକୁ ଜଣାଇଛନ୍ତି।

ଅଭିଯୋଗ ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୦ ହଜାର ଟଙ୍କା ଶାନ୍ତିଙ୍କ ଆକାଉଣ୍ଟକୁ ଆସିଥିଲା । ୧୩ ତାରିଖରେ ଶାନ୍ତି ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ଥିଲେ। ହେଲେ ୧୪ ତାରିଖରେ ଆକାଉଣ୍ଟରୁ ୧୨ହଜାର ଟଙ୍କା ଉଠା ଯାଇଥିବା ମୋବାଇଲକୁ ମେସେଜ ଆସିଥିଲା। ଏହାଜାଣି ଶାନ୍ତି ଏବଂ ତାଙ୍କ ସ୍ବାମୀ ବିରସେନ ବାଲିଗୁଡା ଶାଖାକୁ ଆସି ବୁଝିବା ପରେ ଶାଖାର କର୍ମଚାରୀ ୧୪ ତାରିଖରେ ଆକାଉଣ୍ଟରୁ ୧୨ ହଜାର ଟଙ୍କା ଉଠାଣ ହୋଇଛି ବୋଲି କହିଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କ ଦସ୍ତଖତ ଓ ଫୋଟୋ ନ ମିଶିଲେ ଟଙ୍କା ଦେଉନାହାନ୍ତି, ହେଲେ ଏହି ଟଙ୍କା କିପରି ଉଠିଲା, କିଏ ଉଠାଇଲା, ବ୍ୟାଙ୍କ କର୍ମଚାରୀ କିପରି ଦେଲେ ଏହି ସମ୍ପର୍କରେ ଜାଣିବା ପାଇଁ ୩ ଦିନ ହେଲା ରୁତୁଙ୍ଗିଆରୁ ବାଲିଗୁଡାକୁ ଖର୍ଚ୍ଚାନ୍ତ ହୋଇ ଆସୁଥୁଲେ ସୁଧା ବ୍ୟାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ଗଣମାଧ୍ୟମ ଆଗରେ ବିରସେନ ଅଭିଯୋଗ କରିଛନ୍ତି। ଏହା ଜାଣି ଗଣମାଧ୍ୟମ ପ୍ରତିନିଧି ବ୍ୟାଙ୍କ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଖୁବ ଶିଘ୍ର ସିସିଟିଭି ଫୁଟେଜ ଚେକ୍‌ କରି ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Share