ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା: ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର

ବାଲେଶ୍ୱର ଅଫିସ, ୨୭।୮: ବାଲେଶ୍ୱର ଜିଲାର ସମସ୍ତ ଛୋଟ ବଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି। ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମ ଜଳବନ୍ଦୀ ହୋଇରହିଛି। ଗୁରୁବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଜଳକା ନଦୀ ମଥାନିରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଜଳସ୍ତର ୭ ମିଟରରେ ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ସେହିପରି ବୁଢ଼ାବଳଙ୍ଗ ନଦୀର ଜାତୀୟ ରାଜପଥ ୫ରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ୮.୨୬ ମିଟରରେ ଜଳସ୍ତର ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଅନ୍ୟପଟେ ସୁବର୍ଣ୍ଣରେଖା ନଦୀ ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ୯.୪୦ ମିଟର ଜଳସ୍ତରରେ ପ୍ରବାହିତ ହେଉଛି। ଏଥିଯୋଗୁ ଜିଲାର ବହୁ ମୁଖ୍ୟରାସ୍ତା ସହରଠାରୁ ବିଛିନ୍ନ ହୋଇଯାଇଛି। ଫଳରେ ଯାତାୟତରେ ବାଧା ଉପୁଜିଥିବାରୁ ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ। ତେବେ ଏଥିରେ କୌଣସି ଧନ ଜୀବନ ଓ କ୍ଷୟକ୍ଷତି ହୋଇଥିବା ସୁଚନା ମିଳିନାହିଁ।