ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୬୮୫ମି.ମି. ବର୍ଷା ହୋଇଥିବା ବେଳେ ବାଲିଆପାଳ ବ୍ଲକରେ ସର୍ବାଧିକ ଓ ସିମୁଳିଆରେ ସର୍ବନିମ୍ନ ରେକର୍ଡ଼ ହୋଇଛି। ସେହିପରି ଜିଲାରେ ପ୍ରବାହିତ ଜଳକା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବା ବେଳେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀ ଅବବାହିକା ସମେତ ନଦୀର ଉପରମୁଣ୍ଡ ପଡ଼ୋଶୀ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରରେ ଶନିବାର ୮୨ମି.ମି., ମୋରଡ଼ାରେ ୩୦.୨ମି.ମି., ଶୁଳିଆପଦାରେ ୭୦ମି.ମି. ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମଥାନୀଠାରେ ନଦୀର ବିପଦସଙ୍କେତ ୬.୫୦ ମିଟର ରହିଥିବା ବେଳେ ରବିବାର ରାତି ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୧ ମିଟରରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଉପକୂଳବର୍ତ୍ତୀ ଗ୍ରାମବାସୀ ବନ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଦୁର୍ବଳ ନଦୀବନ୍ଧ ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ତହସିଲଦାର ରାଧାରଞ୍ଜନ ଦାସ ଓ ଜଳସେଚନ କନିଷ୍ଠଯନ୍ତ୍ରୀ ମହେଶ୍ୱର ସିଂ ସୂଚନା ଦେଇଛନ୍ତି। ସେହିପରି ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ୫.୮୯ ଓ ସନ୍ଧ୍ୟା ୬ଟା ସୁଦ୍ଧା ୬.୧୯ମିଟରରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ନଦୀର ବିପଦସଙ୍କେତ ୮.୧୩ ମିଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ୩.୩୮ ଓ ସନ୍ଧ୍ୟା ୬ଟା ସୁଦ୍ଧା ୩.୯୦ମିଟରରେ ପ୍ରବାହିତ ହେଉଛି।
ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ବାଲିଆପାଳରେ ୧୩୭ମି.ମି., ଭୋଗରାଇରେ ୧୨୫ମି.ମି., ଜଳେଶ୍ୱରରେ ୯୭ମି.ମି., ବସ୍ତାରେ ୮୦ମି.ମି., ବାଲେଶ୍ୱର ସଦରରେ ୫୮ମି.ମି., ରେମୁଣାରେ ୪୭ମି.ମି., ନୀଳଗିରିରେ ୩୭ମି.ମି., ଔପଦାରେ ୨୫ମି.ମି., ସୋରରେ ୨୩ମି.ମି., ବାହାନଗାରେ ୨୦ମି.ମି., ଖଇରା ୧୯ମି.ମି. ଓ ସିମୁଳିଆରେ ୧୭ମି.ମି. ବର୍ଷା ହୋଇଛି।

Share