Categories: ଜାତୀୟ

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ ଇଟା ଫିଙ୍ଗାଯାଇଥିବା ବେଳେ ଏଠାରେ ପହଞ୍ଚିଥିବା ପୋଲିସଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଭିଡକୁ କଣ୍ଟ୍ରୋଲ କରିବାକୁ ଯାଉ ଫାଙ୍କା ଗୁଳିଚାଳନା ବି କରିଛି । ହେଲେ ସଂଘର୍ଷ ବଢିଯିବାରୁ ପୋଲିସ ଏହାକୁ କାବୁ କରିବାକୁ ଯାଇ ୨୦-୨୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଜାଲନା ଜିଲାର ଭୋକରଦାନ ତହସିଲର ଚନ୍ଦଇ ଗାଁରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି ଗାଁରେ ଲଗାଯିବାର ଥିଲା । ଯେଉଁଠାରେ ଏହା ଲଗାଯିବାର ଥିଲା ତାହାର ନାମ ଗୋପିନାଥ ମୁଣ୍ଡେ ରଖାଯାଇ ଥାଆନ୍ତା । ହେଲେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହାକୁ ନେଇ ବିବାଦ ଉପୁଜିଥିଲା । ଏହା ପରେ ଏତେ ତୀବ୍ର ହୋଇଥିଲା ଯେ ଉଭୟ ପଟରୁ ପଥରମାଡ ଆରମ୍ଭ ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

Share