ଜମ୍‌ତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ ଗିରଫ

ସମ୍ବଲପୁର,୧୬।୨(ବ୍ୟୁରୋ): ଅନ୍‌ଲାଇନ ଠକେଇ କରି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ସମ୍ବଲପୁର ପୋଲିସ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ଖଗା ଥାନା ମଳାନ୍ଦି ଗ୍ରାମର ରହମତ ଅନ୍‌ସାରି(୨୨), ଗୋବିନ୍ଦପୁର ଥାନା ଜନତା ମାର୍କେଟ ଷ୍ଟେଶନ ରୋଡ୍‌ର ବିଶାଳ ପାଣ୍ଡେ(୨୧) ଓ ବିହାର ସିକନ୍ଦରାରୋଡ୍‌ର ଶେଖର ଗୌତମ (୨୧)। ଏମାନଙ୍କ ମଧ୍ୟରୁ ଦୁଇଜଣ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ଉକ୍ତ କଲେଜର ପାସ୍‌ଆଉଟ ଛାତ୍ର ବୋଲି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ୨ଶହ ଟଙ୍କା, ୯ଟି ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ, ଲାପ୍‌ଟପ୍‌ ଜବତ ହୋଇଛି। ଏ ନେଇ ଅଇଁଠାପାଲି ଥାନାରେ କେସ୍‌ ନଂ.୬୩/୨୨ରେ ମାମଲା ରୁଜୁ ହୋଇଛି। ପୋଲିସ ସୂଚନାକ୍ରମେ, ଫେବୃୟାରୀ ୫ ତାରିଖରେ ଅଇଁଠାପାଲି ଥାନା ଅନୁଗୁଲିଆପଡ଼ାର ସରୋଜ କୁମାର ଦାସ ଅଭିଯୋଗ କରିଥିଲେ ଯେ, ଏକ ଘରୋଇ ଫାଇନାନ୍ସ କମ୍ପାନୀ ଋଣ ମଞ୍ଜୁର କରିଥିବା ନେଇ ପ୍ରଥମେ ତାଙ୍କ ମୋବାଇଲ୍‌କୁ ମେସେଜ ଆସିଥିଲା। ଅପରାହ୍ନ ପ୍ରାୟ ୪ଟାରେ ତାଙ୍କ ବ୍ୟାଙ୍କ ଜମାଖାତାରେ ୩ ଲକ୍ଷ ୮୧ ହଜାର ୧୬୮ ଟଙ୍କା ଜମା ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ଜମା ଖାତାରୁ ୨ ଲକ୍ଷ ଗାଏବ ହୋଇଯାଇଥିଲା। ଏହି ଟଙ୍କା ଆଉ ଏକ ଆକାଉଣ୍ଟକୁ ଚାଲି ଯାଇଥିଲା। ଏ ନେଇ ସରୋଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଠକେଇ ର଼୍ୟାକେଟ୍‌ର ଚେର ଝାଡ଼ଖଣ୍ଡ ଓ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଥିଲା। ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଗଠନ ହୋଇଥିଲା।

Share