ମହାକାଳପଡ଼ା,୨୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଦେଇ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଯାଇଛି। ଏହି କେନାଲରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ବିଦେଶରୁ ଖାଦ୍ୟ ଶସ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ ଏହି ଖାଦ୍ୟ ଶସ୍ୟକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଉ ଥିଲେ। କିନ୍ତୁ ଏହି କେନାଲ ଅଞ୍ଚଳର ମୁଖ୍ୟ ଜୀବନ ଜୀବିକା ସହିତ ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ରୋଜଗାର ଯୋଗାଉଥିଲା ବୋଲି ପୁରୁଖା ବ୍ୟବସାୟୀମାନେ କହିଛନ୍ତି। ଏହି କେନାଲ କଟକ ମହାନଦୀରୁ ଉତ୍ପତ୍ତି ହୋଇ ଶେଷରେ ବଙ୍ଗୋପସାଗର ସଂଲଗ୍ନ ଜମ୍ବୁ ନିକଟ ଗୋବରୀ ନଦୀରେ ମିଶିଛି। ଏହି କେନାଲ ନିର୍ମାଣ ସମୟରେ କେତେଜଣ ଶ୍ରମିକଙ୍କ ଜୀବନ ଯାଇଥିବା ପୁରୁଖା ବ୍ୟବସାୟୀ, ଚାଷୀ, ବୁଦ୍ଧିଜୀବୀମାନଙ୍କଠାରୁ ଶୁଣିବାକୁ ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଅଙ୍କୁର ପଲାଇ, ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ବରିଷ୍ଠ ଚାଷୀ ବାବାଜୀ ବେହେରା, ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ, ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ବିଦେଶରୁ ସମୁଦ୍ର ପଥ ଦେଇ ଜାହାଜରେ ଆସୁଥିବା ସାମଗ୍ରୀକୁ ବ୍ରିଟିଶ ଶାସକ ଡଙ୍ଗା ଦ୍ୱାରା କେନାଲରେ ନୌବାଣିଜ୍ୟ କାରବାର କରୁଥିଲେ। ଏହି ଅଞ୍ଚଳର ଗ୍ରାମାଞ୍ଚଳ ବ୍ୟବସାୟୀ କଟକ ମାଲଗୋଦାମରୁ ସଉଦା ପତ୍ର, ଚୌଦ୍ୱାରରୁ ବାଉଁଶ, ମଣ୍ଡାପଡ଼ାରୁ ବଉଳା ଓ ମାଙ୍କଡ଼ା ପଥର, ମହାନଦୀ ମିଠା ବାଲି ସମେତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀକୁ ବଡ଼ ବଡ଼ କାଠଡଙ୍ଗା ଦ୍ୱାରା କେନାଲରେ ଆଣୁଥିଲେ। ସେ ଦିନର ବ୍ରିଟିଶ ନିର୍ମିତ କେନାଲ ଏବେ ତା’ର ସତ୍ତା ହରାଇଛି। ପୂର୍ବଭଳି ଆଉ ଯତ୍ନ ନିଆଯାଉ ନାହିଁ। ଏହି କେନାଲ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କେନାଲର ଗଣ୍ଡ ସୃଷ୍ଟି ହୋଇଥିବା ମଧ୍ୟସ୍ଥଳରେ ବୁଦୁ ବୁଦିକିଆ ବେଣାବୁଦା ଓ କଟିକୀଦଳ ଥିତ୍ବା ସ୍ଥାନରେ ବିଲୁଆ ବସାବାନ୍ଧି ରହୁଥିବା ଦେଖିବାକୁ ମିଳୁଛି। ସୁଦୀର୍ଘ କେନାଲର ବହୁବର୍ଷ ପୂର୍ବରୁ ମହାନଦୀର ବନ୍ୟା ସ୍ରୋତରେ ବନ୍ଧ ଭାଙ୍ଗି ମହାକାଳପଡା, କିୟାର ବାଙ୍କ, ପରେଶ୍ୱରପୁର, ଟାଙ୍କିବେଲାରି ଓ ଅରୁଣନଗରଠାରେ ବଡ଼ ବଡ଼ ଓସାରିଆ ଗଣ୍ଡ ସୃଷ୍ଟି ହୋଇଥିଲା। ଅଦ୍ୟାବଧି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଉନାହିଁ। ହେଲେ ବର୍ଷକୁ ଥରେ କି ଦୁଇ ଥର ଚାଷୀମାନଙ୍କ ପାଇଁ ଜମିକୁ ଜଳ ଯୋଗାଣ କରାଯାଉଛି। କିଛି ଜଳ ଚାଷଜମିକୁ ଯାଉଥିବା ବେଳେ ବଳକା ପାଣି ଗୋବରୀ ନଦୀରେ ମିଶୁଛି। ମାର୍ଶାଘାଇଠାରୁ ଜମ୍ବୁ ପର୍ଯ୍ୟନ୍ତ ୨୪ କିମି ଦୂର କେନାଲ ସାରା କଟିକୀଦଳ ଭରି ରହିଛି। କେନାଲ ଉଭୟ ପାର୍ଶ୍ୱ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ତେବେ ଜଳ ଯୋଗାଣ ସ୍ରୋତ ହ୍ରାସ ପାଇବା ସହ ଚାଷଜମିର ହିଡ଼ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। କେବଳ ଚାଷୀମାନଙ୍କଠାରୁ ଜଳକର (ରାଜସ୍ବ) ଆଦାୟ କରି ବିଭାଗ ଚୁପ୍ ହୋଇବସିଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ଦେଶର ବୃହତ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଥିବା ବେଳେ ଏହି ଅଲୋଡ଼ା କେନାଲ ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ଏହି କେନାଲ ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କେନାଲ ପୁନରୁଦ୍ଧାର ପାଇଁ ମେଗା ପ୍ରୋଜେକ୍ଟ ଆବଶ୍ୟକତା ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। ଯେଉଁ କେନାଲ ଦିନେ ଓଡ଼ିଆମାନଙ୍କର ନୌବାଣିଜ୍ୟର କୀର୍ତ୍ତି ବହନ କରୁଥିଲା ତାହା ଆଜି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଯେଉଁଠି ବଡ ବଡ ଡଙ୍ଗା ଲାଗୁଥିଲା ସେହି ସ୍ଥାନରେ ଛୋଟ ଡିଙ୍ଗିଟିଏ ପହଞ୍ଚତ୍ବା କଷ୍ଟକର ହେଉଛି। ଏହାର ପୁନରୁଦ୍ଧାର କରାଗଲେ ଶତାଧିକ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ହୋଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉକ୍ତ କେନାଲ ନବୀକରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।