Categories: ଖେଳ

ଏହି ଭାରତୀୟ ବୋଲରଙ୍କୁ ଦେଖି ଶିଖୁଥିଲେ ଜେମ୍ସ ଆଣ୍ଡରସନ: କଲେ ଖୁଲାସା

ନୂଆଦିଲ୍ଲୀ,୨୯।୨: ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ପାଖାପାଖି ୭୦୦ ଉଇକେଟ ନେଇଛନ୍ତି। ସେ ୧୮୬ ଟେଷ୍ଟ ମ୍ୟାଚରେ ୬୯୮ ଉଇକେଟ ନେଇଛନ୍ତି। ୪୧ ବର୍ଷ ବୟସରେ ସେ ନିଜକୁ ଯଥେଷ୍ଟ ଫିଟ ରଖିଛନ୍ତି। ସେ ବର୍ତ୍ତମାନ ଇଂଲଣ୍ଡର ଦ୍ରୁତ ବୋଲିଂ ଆକ୍ରମଣର ଅଗ୍ରଣୀ ରହିଛନ୍ତି। ମାର୍ଚ୍ଚ ୭ରୁ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ସେ ଏକ ବଡ଼ ଖୁଲାସା କରିଛନ୍ତି। ଆଣ୍ଡରସନ କହିଛନ୍ତି ଯେ, ସେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନଙ୍କ ପ୍ରଶଂସକ ଏବଂ ତାଙ୍କଠାରୁ ବହୁତ କିଛି ଶିଖିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ୯୮୫ ଉଇକେଟ ନେଇଥିବା ଏହି ଦ୍ରୁତ ବୋଲର କହିଛନ୍ତି ଯେ, ସେ ଜାହିରଙ୍କଠାରୁ ରିଭର୍ସ ସୁଇଙ୍ଗ ସମେତ ଦ୍ରୁତ ବୋଲିଂର କିଛି କୌଶଳ ଶିଖିଛନ୍ତି। ଆଣ୍ଡରସନ ଧର୍ମଶାଲା ଟେଷ୍ଟରେ ବଡ଼ ସଫଳତା ହାସଲ କରିପାରିବେ। ଯଦି ସେ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଆନ୍ତି, ତେବେ ସେ ଦୁଇଟି ଉଇକେଟ ନେଇ ଟେଷ୍ଟରେ ନିଜର ୭୦୦ ଉଇକେଟ ପୂରଣ କରିପାରିବେ। ଏହା କରିବାରେ ସେ ଦୁନିଆର ତୃତୀୟ ବୋଲର ହେବେ। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ ଏବଂ ଅଷ୍ଟ୍ରେଲିଆର ସେନ୍‌ ୱାର୍ନ ଏହା କରିଛନ୍ତି।

Share