ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ

ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଦିନ ଅର୍ଥାତ୍‌ ରବିବାର ଜେମ୍ସ କ୍ରାଉନ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ସିଏନଏନର ରିପୋର୍ଟ ଅନୁଯାୟୀ, ରେସ ସମୟରେ ହେନରି କ୍ରାଉନ ଆଣ୍ଡ କମ୍ପାନୀର ଅଧ୍ୟକ୍ଷ ଜେମ୍ସ କ୍ରାଉନଙ୍କ କାର ଏକ ବାରିୟର ସହ ଧକ୍କା ହୋଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କ୍ରାଉନଙ୍କ ମୃତ୍ୟୁ ପରେ ପିଟକିନ କାଉଣ୍ଟି କୋରୋନର କାର୍ଯ୍ୟାଳୟର ଏକ ପ୍ରେସ ରିଲିଜରେ କୁହାଯାଇଥିଲା କି ପୋଷ୍ଟ ମର୍ଟମ ପରେ ସ୍ପଷ୍ଟ ହେବ ଯେ ଆମେରିକା ବ୍ୟବସାୟୀଙ୍କ ମୃତ୍ୟୁ କେଉଁ କାରଣୁ ହୋଇଛି। ହେଲେ ଏବେ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
କ୍ରାଉନ ପରିବାରର ଏକ ଆସପେନ ସ୍କିଙ୍ଗ କମ୍ପାନୀର ମାଲିକ ଏବଂ ସିକାଗୋର ସବୁଠାରୁ ଧନୀ ପରିବାର ମଧ୍ୟରୁ ଗୋଟିଏ। କ୍ରାଉନଙ୍କ ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଅନୁରୋଧ କରନ୍ତି ଯେ ଏହି କଷ୍ଟ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦିଆଯାଉ। ପରିବାରର ମୁଖପାତ୍ର ଆସପେନ ଟାଇମ୍ସକୁ ଏକ ବୟାନରେ କହିଛନ୍ତି ଯେ ଜେମ୍ସ କ୍ରାଉନଙ୍କ ମୃତ୍ୟୁରେ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କ୍ରାଉନ ତାଙ୍କ ପରିବାର ବ୍ୟବସାୟର ସିଇଓ ତଥା ଚେୟାରମ୍ୟାନ, ନିବେଶ ସଂସ୍ଥା ହେନେରୀ କ୍ରାଉନ ଆଣ୍ଡ କମ୍ପାନୀର ଚେୟାରମ୍ୟାନ ଥିଲେ। ଯେଉଁଥିରୁ ସେ ପ୍ରାୟ ୧୦.୨ ବିଲିୟନ ଡଲାର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। କେବଳ ଏତିକି ନୁହେଁ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ଆୟୋଜିତ ରାତ୍ରୀ ଭୋଜନରେ ଜେମ୍ସ କ୍ରାଉନ ମଧ୍ୟ ଯୋଗ ଦେଇଥିଲେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସେ ଅତି ନିକଟତର ଥିଲେ। ତାଙ୍କ ଶାସନ କାଳରେ ସେ କ୍ରାଉନଙ୍କୁ ଗୁଇନ୍ଦା ପରାମର୍ଶଦାତା ବୋର୍ଡରେ ନିଯୁକ୍ତ କରିଥିଲେ। ବାରାକ ଓମାବା ଓ ମିଶେଲ ଓବାମା କ୍ରାଉନଙ୍କ ମୃତ୍ୟୁରେ ଗଭିର ଶୋକ ପ୍ରକାଶ କରିଛନ୍ତି।

Share