Categories: ଜାତୀୟ

ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ସୀମା ନିର୍ଦ୍ଧାରଣ ଚାଲିଛି। ଏହା ଶେଷ ହେଲା ପରେ ନିର୍ବାଚନ ହେବ। ଉପତ୍ୟକାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବାକୁ ଆମେ ପ୍ରାଥମିକତା ଦେଉଛୁ। ଗୁରୁବାର ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୈତିକ ଦଳ ସହ ଆୟୋଜିତ ବୈଠକରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ବୈଠକରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ରାଜନୈତିକ ଦଳର ୧୪ ପ୍ରମୁଖ ନେତା ଯୋଗଦେଇଥିଲେ। ଉପତ୍ୟକାରେ ରାଜନୈତିକ ପ୍ରକ୍ରିୟାକୁ ଫେରାଇ ଆଣିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ୨୦୧୯ରେ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଉପତ୍ୟକାରେ ସମସ୍ତ ରାଜନୈତିକ ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଥିଲା।

ବୈଠକ ପରେ ଫାରୁକ୍‌ ଅବଦୁଲା କହିଛନ୍ତି, ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ପାଇଁ ତାଙ୍କ ଦଳ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଆଇନଗତ ଲଢ଼େଇ ଜାରି ରଖିବ। କଶ୍ମୀରରେ ସୃଷ୍ଟି ହୋଇଥିବା ଅନାସ୍ଥା ଭାବକୁ ତୁରନ୍ତ ଦୂର କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଆମର ଏହି ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛୁ।

Share