Categories: ଜାତୀୟ

ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ହେବ ଆତଙ୍କବାଦ ମୁକ୍ତ…

ନୂଆଦିଲ୍ଲୀ,୧୮।୧୧: ଜମ୍ମୁ -କଶ୍ମୀରରେ ଆତଙ୍କବାଦକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଲୋପ ହେବ ବୋଲି ସେ କହିିଛନ୍ତି। ମନୋଜ ସିହ୍ନାଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଉପତ୍ୟକାରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ଘଟିଛି।

ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନୋଜ ସିହ୍ନା କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନେ ନିଶ୍ଚିତ ଭାବରେ ଚିନ୍ତିତ ଅଛନ୍ତି। ଆମେ ଜନସାଧାରଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଦୁଇ ବର୍ଷ ମଧ୍ୟରେପ ଏଠାରେ ଆଉ ଆତଙ୍କବାଦୀଙ୍କୁ ସେମାନେ ଦେଖିବେ ନାହିଁ। ଭାରତ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି।

ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଅଞ୍ଚଳର ୧୧୭ ଜଣ ଯୁବବର୍ଗ ଯୋଗ ଦେଇଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ସୂତ୍ରରୁ ଏହା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ସମୁଦାୟ ୪୮ ବାଟାଲିୟନ ସିଆର୍‌ପିଏଫ ମୁତୟନ ହୋଇଛନ୍ତି। ଏଥିମଧ୍ୟରୁ ୨୨ଟି ବାଟାଲିୟନ ଶ୍ରୀନଗରରେ ସ୍ବତନ୍ତ୍ର ଭାବେ ମୁତୟନ ହୋଇଥିବାବେଳେ ୨୨ ବାଟାଲିୟନକୁ କଶ୍ମୀରର ଅବଶିଷ୍ଟ ଅଞ୍ଚଳରେ ମୁତୟନ କରାଯାଇଛି। ଏଠାରେ ଅତିରିକ୍ତ ପାଞ୍ଚଟି କମ୍ପାନୀ ମୁତୟନ ପ୍ରକ୍ରିୟା ଚାଲିଛି ଏବଂ କିଛି ଦିନ ମଧ୍ୟରେ ଏହା ଶେଷ ହେବ।

ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରେ ୧୯ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବାବେଳେ ଆତଙ୍କବାଦୀମାନେ ୧୩ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଛନ୍ତି। ଅପରପକ୍ଷରେ ସର୍ଚ୍ଚ ଅପରେଶନ୍‌ ସମୟରେ ୧୨ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି।

ଜମ୍ମୁ-କଶ୍ମରୀରେ ସମ୍ପ୍ରତି ୩୮ ଆତଙ୍କବାଦୀ ସକ୍ରିୟ ଥିବା ଗତ ସପ୍ତାହରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଲଶ୍କର–ଇ-ତୋଏବାର ୨୭ ଜଣ ଏବଂ ଜୈଶ୍‌-ଇ-ମହମ୍ମଦର ୧୧ ଜଣ ଆତଙ୍କବାଦୀ ରହିଛନ୍ତି। ଆତଙ୍କବାଦୀମାନେ ମୁଖ୍ୟତଃ ଶ୍ରୀନଗର, ବାରମୁଳା, କୁଲଗାମ୍‌, ପୁଲଓ୍ବାମା ଅଦି ଜିଲାରେ ଅଧିକ ସକ୍ରିୟ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଇଛି।

Share