ଟିକା ନେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ୧୧୮ବର୍ଷୀୟ ବୃଦ୍ଧ

ଶ୍ରୀନଗର,୨୮।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଇତିମଧ୍ୟରେ ଜଣେ ୧୧୮ ବର୍ଷୀୟ ବୃଦ୍ଧ କରୋନା ଟିକା ନେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ସୂଚନାଯୋଗ୍ୟ, ଯେଉଁଠି ଅନେକ ଲୋକ କରୋନା ଟିକା ନେବା ପାଇଁ ଅମଙ୍ଗ ହେଉଥିବା ବେଳେ ସେଠାରେ ଜମ୍ମୁ-କଶ୍ମୀରର ରିଆସି ମାହୋର ବ୍ଲକ ସ୍ଥିତ ଏକ ଗାଁରେ ରହୁଥିବା ୧୧୮ ବର୍ଷୀୟ ଶେର ମହମ୍ମଦ ଟିକା ନେଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜେ ଟିକା ନେବା ପରେ ମହମ୍ମଦ ସମସ୍ତଙ୍କୁ ଟିକାକରଣ କରାଇବା ପାଇଁ ଅପିଲ୍‌ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ମହମ୍ମଦଙ୍କ ବୟସକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଟିମ୍‌ ଗୁରୁବାର ତାଙ୍କ ଘରକୁ ଯାଇ କରୋନା ଟିକା ଦେଇଥିଲେ। ତେବେ ବାର୍ଦ୍ଧକ୍ୟ ଅବସ୍ଥାରେ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହମ୍ମଦ ଏକୁଟିଆ ନୁହଁନ୍ତି। ଏହାପୂର୍ବରୁ ଜମ୍ମୁ-କଶ୍ମୀର ଉଧମପୁର ଜିଲାର ୧୨୦ ବର୍ଷୀୟ ଢ଼ୋଲି ଦେବୀ ମଧ୍ୟ ନିଜର ଟିକାକରଣ କରାଇସାରିଛନ୍ତି।

Share