Categories: ଜାତୀୟ

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ କରି ଭଗବାନ ଶିବଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି।
ଜମ୍ମୁକାଶ୍ମୀର ଡୋଡା ଜିଲାର ମର୍ମତ ଅଞ୍ଚଳରେ ‘ଛୋଟା ମଣି ମହେଶ’ ମନ୍ଦିରରେ ଥିବା ଶିବଙ୍କ ମୂର୍ତ୍ତିଙ୍କୁ କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ବରିଷ୍ଠ ନେତା ମନୋଜ ପାଧା ଭଙ୍ଗା ମୂର୍ତ୍ତିର କିଛି ଫଟୋ ନିଜ ଟୁଇଟର୍‌ରେ ଶେୟାର କରି ଲେଖିଛନ୍ତି ଯେ, କାଳିଶ କୁଣ୍ଡ ପରେ ଏବେ ପୁଣି ଦୁର୍ବୃତ୍ତ ଜମ୍ମୁକଶ୍ମୀରର ଡୋଡା ଜିଲାରେ ଶିବ ମୂର୍ତ୍ତିକୁ ଭାଙ୍ଗିଛନ୍ତି। ଏହି ବିଷୟ ବସ୍ତୁ ଉପରେ ଧ୍ୟାନ ଦେବା ପାଇଁ ମୁଁ ପ୍ରଧାମନ୍ତ୍ରୀଙ୍କୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୯ରେ ମଧ୍ୟ ଜମ୍ମୁକଶ୍ମୀରର କାଠୁଆ ଜିଲାରେ ଥିବା ଏକ ମନ୍ଦିରେ କିଛି ଦୁର୍ବୃତ୍ତ ପଶି ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ।

 

Share