Categories: ଜାତୀୟ

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ: ୨୪ଘଣ୍ଟାରେ ୫ ନିହତ, ୩୦କିଲୋ ଆଇଡି ଜବତ

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଡଗାମ ଏବଂ ରାଜୌରୀର ଦୁଇଟି ଭିନ୍ନ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେଶନରେ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୩୦ କିଲୋଗ୍ରାମ ଆଇଡି ଜବତ କରାଯାଇଛି। ଗୁରୁବାର ସକାଳେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ଏକ ସେନା କ୍ୟାମ୍ପରେ କେତେକ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ୨ଯବାନ ଆହତ ହୋଇଥିବା ବେଳେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଜମ୍ମୁ-କଶ୍ମୀର ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ଆତଙ୍କବାଦୀମାନେ ପାରଗଲରେ ଥିବା ଏକ ସେନା ଶିବିରର ବାଡ଼ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ। ହେଲେ ସେମାନେ ନ ଅଟକିବାରୁ ସୁରକ୍ଷାକର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ବୁଧବାର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଏନ୍‌କାଉଣ୍ଟରରେ ୩ଜଣ ଲଶ୍କର-ଇ-ତୋଏବାର ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୬ ବିଦେଶୀ ଆତଙ୍କବାଦୀଙ୍କୁ ମିଶାଇ ୧୩୬ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି।

Share