Categories: ଜାତୀୟ

୧୮ ଘଣ୍ଟାର ଏନ୍‌କାଉଣ୍ଟର ଶେଷ: ଟଳିିପଡ଼ିଲେ ୬ ଆତଙ୍କବାଦୀ

ଶ୍ରୀନଗର,୧୭ା୧୧: ଜମ୍ମୁ-କଶ୍ମୀରର କୁଲ୍‌ଗାମ ଜିଲାରେ ଗୁରୁବାର ରାତିରୁ ଚାଲିଥିବା ଏନ୍‌କାଉଣ୍ଟର ଦୀର୍ଘ ୧୮ ଘଣ୍ଟା ପରେ ଶେଷ ହୋଇଛି। ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ର ପୋଲିସ ଆଇଜି ଭି.କେ. ବିର୍ଡି କହିଛନ୍ତିି।

ଡ୍ରୋନ୍‌ ସହାୟତାରେ ଆତଙ୍କବାଦୀଙ୍କ ମୃତଦେହ ଚିହ୍ନଟ କରାଯାଇଛି। କୁଲ୍‌ଗାମର ନେହାମା ଗ୍ରାମ ନିକଟରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଗୋଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବଳ ଗୁରୁବାରଠାରୁ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ସେତିକିବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯବାନ ଏହାର ଉଚିତ ଜବାବ ଦେଇଥିଲେ।

ଜମ୍ମୁ-କଶ୍ମୀରର ରାଜୌରୀରେ ଶୁକ୍ରବାର ଅନ୍ୟ ଏକ ଏନ୍‌କାଉଣ୍ଟରରେ  ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଗୋଇନ୍ଦା ସୂଚନା ଆଧାରରେ ପୋଲିସ, ସେନା ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ଏକ ମିଳିତ ଟିମ୍‌ ବେହରୋଟ୍‌ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ଏକ ଘରୁ ଯବାନଙ୍କ ଉପରକୁ ଗୁଳି ଚଳାଇବାରୁ ସୁରକ୍ଷା ବଳ ଏହାର ଜବାବ ଦେଇଥିଲେ ବୋଲି ପୋଲିସର ଜଣେ ମୁଖପାତ୍ର କହିଛନ୍ତି।

Share