Categories: ଜାତୀୟ

ଜମ୍ମୁ-କଶ୍ମୀର ତ୍ରାଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ତ୍ରାଲ ସେକ୍ଟରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଓ ପୋଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଘଟଣାସ୍ଥଳରୁ ଜଣେ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କର ଖୋଜା ଚାଲିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ତ୍ରାଲର ଚଓ୍ବୋ ଉଲ୍ଲର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସେନାଙ୍କୁ ମିଳିଥିଲା। ଏହାପରେ ପୋଲିସ, ସେନା ଓ ସିଆର୍‌ପିଏଫ୍‌ ଟିମ୍‌ର ମିଳିତ ଉଦ୍ୟମରେ ଗୁରୁବାର ରାତିରେ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ରାତିରେ ଏହି ଅପରେଶନ୍‌ ବନ୍ଦ ଥିବା ବେଳେ ଶୁକ୍ରବାର ସକାଳୁ ପୁଣି ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ପୋଲିସଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ସୂଚନା ରହିଛି। ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ସୋପୋରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୨ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ମାସ ଘାଟିରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଚଳିତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି।

Share