Categories: ଜାତୀୟ

ବାରମୂଳା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ: ୨ଯବାନ ଆହତ

ବାରମୂଳା,୩୦।୭: ଜମ୍ମୁ-କଶ୍ମୀରର ବାରମୂଳା ଜିଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ବାରମୂଳା ଜିଲାର କରେରୀ ଅଞ୍ଚଳର ଭାନିଗାମ ବାଲା ଗ୍ରାମରେ ୨ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ସେମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳିବିନିମୟରେ ୨ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେ ବି ଉଭୟ ପାର୍ଶ୍ୱରୁ ଗୁଳିବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀରର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

Share