ରାୟଗଡା ଅଫିସ,୪ା୪: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ରପର୍ବ ଝାମୁ ଯାତ୍ରା ଗତ ୧ ତାରିଖରୁ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଓ ଗତବର୍ଷ କଟକଣା ମଧ୍ୟରେ ହୋଇଥିଲା। ଚଳିତବର୍ଷ କଟକଣା ସମ୍ପୂର୍ଣ୍ଣ ହଟି ଯାଇଥିବାରୁ ଚୈତ୍ର ଯାତ୍ରାରେ ପ୍ରବଳ ଜନ ସମାଗମ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ମାନସିକ କରି ମା’ଙ୍କର ସାନିଧ୍ୟ ଲାଭ କରୁଛନ୍ତି l ମା’ ମଝିଘରିଆଣୀ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି। ଫୁଲରେ ସଜେଇ ହୋଇଛନ୍ତି ମା’। ପୂଜାମନ୍ତ୍ର, ହୋମ ଯଜ୍ଞରେ ମନ୍ଦିର ପ୍ରକମ୍ପିତ ହେଉଛି। ଯାତ୍ରା ୫ ଦିନ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି। ସୋମବାର ପୂଜାର ୩ୟ ଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ମାନସିକ ଧାରୀ ମାନେ ଘଟ ହାଣ୍ଡିକୁ ମୁଣ୍ଡରେ ଧରି ସହର ପରିକ୍ରମା କରିଛନ୍ତି। ଘଣ୍ଟ ବାଦ୍ୟ ମଧ୍ୟରେ ଶୋଭାଯାତ୍ରା କରାଯାଇଛି। ଝାମୁ ଯାତ୍ରା ଦେଖିବାକୁ ଦୂର ଦୁରାନ୍ତରୁ ବହୁ ଭକ୍ତ ଆସୁଥିବା ଦେଖିବାକୁ ମିଳୁଛି l