ପାଟନା,୧୪।୯: ବିହାରର ଜମୁଇରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିବାରୁ ତାଙ୍କ ପେଟରେ ବଢୁଥିବା ଶିଶୁଟିର ମୃତ୍ୟୁ ଘଟିଛି। ଜମୁଇର ତାନା ଇକେରିୟା ଗ୍ରାମରେ ଏହି ଘଟଣା ଘଟିଛି। ଏହି ମାମଲାରେ ପୀଡିତା ପ୍ରିୟଙ୍କା କୁମାରୀ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ବର୍ଷେ ପୂର୍ବେ ଧର୍ମବୀରଙ୍କୁ ବିବାହ କରିଥିଲେ। ବିବାହର ଏକ ମାସ ପରେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଶାଶୁ ମଞ୍ଜୁ ଦେବୀ, ଯା ଜୁଲି ଦେବୀ, ନଣନ୍ଦ ପୁଣିତା ଦେବୀ ଏବଂ ସ୍ବାମୀ ଧର୍ମବୀର ପାସୱାନ ତାଙ୍କୁ ହଇରାଣ କରୁଥିଲେ। ଗତ ଶନିବାର ସବୁ ସୀମା ଟପିଥିଲା। ମହିଳାଙ୍କ ସ୍ବାମୀ ତାଙ୍କ ପେଟକୁ ଗୋଇଠା ମାରିବାରୁ ପେଟରେ ବଢୁଥିବା ୬ ମାସର ଶିଶୁଟିର ମୃତୁ ଘଟିଥିଲା। ଏହାପରେ ଶାଶୁଘର ଲୋକେ କୌଣସି ଡାକ୍ତରଙ୍କୁ ଡାକି ନ ଥିଲେ। ଜଣେ ଧାଇକୁ ଡାକି ମୃତ୍ୟୁ ଶିଶୁକୁ ପେଟରୁ ବାହାର କରିଥିଲେ। ପୀଡିତାଙ୍କ ପିତା ବୀରେନ୍ଦ୍ର ଏହା ଜାଣିବା ପରେ ଝିଅ ଘରେ ପହଞ୍ଚି ମୃତ ଶିଶୁଙ୍କୁ ଧରି ମହିଳା ଥାନାରେ ପହଞ୍ଚି ଏକ ମାମଲା ରୁଜୁ କରିଥିଲେ। ପୋଲିସ ଏହାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।