ସିମୁଳିଆ,୨୨।୧୧(ଡି.ଏନ.ଏ.): ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ବିଭାଗ ଶନିବାର ରାତିରେ ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମତିର ଗୋଦାମ ଗୃହକୁ ସିଲ୍ କରିଛି।
ଗତ ୧୫ ତାରିଖରେ ଏହି ସେବା ସମବାୟ ସମିତି ଗୋଦାମ ଗୃହ ସମ୍ମୁଖରେ ଟ୍ରକ୍ ଲଗାଇ ଧାନ ଲୋଡ୍ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପଞ୍ଚାୟତ ସମ୍ପାଦକ ଜଗବନ୍ଧୁ ପରିଡ଼ା ଏହା ଗତ ବଷଠାରୁ ରଖାଯାଇଥିବା ୟୁନିଦୀପ ମିଲର ଧାନ ବୋଲି ସୂଚନା ଦେଇଥିଲେ। ଏ ସମ୍ପର୍କରେ ମିଲ୍ ମାଲିକ ଦୀପକ ଦାସଙ୍କୁ ପଚାରିବାରୁ ଏହା କେତେ କୁଇଣ୍ଟାଲ ଅଛି ତାହା ତାଙ୍କର ମନେ ନାହିଁ ଓ ଗୋଦାମ ଗୃହ ଚାରିପଟେ ପାଣି ହୋଇଯାଇଥିବାରୁ ସେ ଗତବର୍ଷ ଆଣି ପାରି ନ ଥିଲେ ବୋଲି କହିଥିଲେ। ଅପରପକ୍ଷେ ଜଣେ ମିଲରଙ୍କୁ କେଉଁ ସ୍ବାର୍ଥରେ ସରକାରୀ ଗୋଦାମ ଗୃହ ଯୋଗାଇ ଦିଆଯାଇଛି ସେନେଇ ସିମୁଳିଆ-ଖଇରା କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଜାମୁଝାଡି ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଜିଲାପାଳ ଓ କମିଶନରଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସରକାରୀ ଗୋଦାମ ଗୃହରେ ମିଲରଙ୍କ ଧାନ ରଖାଯିବା ସମ୍ପର୍କରେ ଶନିବାର ଭାଜପା ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ପୂର୍ବତନ ଯୁବମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ନନ୍ଦ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ସିମୁଳିଆ-ଖଇରା କୃଷକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ଅଜୟ କୁମାର ବେହେରା, କୃଷକ ସଂଘ ଉପସଭାପତି ଦୟାନିଧି ଯେନା, ସମ୍ପାଦକ ଆଲୋକ ପଣ୍ଡା ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେବା ପରେ ରାତିରେ ଗୋଦାମ ଗୃହ ସିଲ୍ ହୋଇଥିଲା ା ତେବେ ପ୍ରଶାସନ ଏହି ସେବା ସମବାୟ ସମିତିର ଦୁଇଟି ଗୃହ ପରିବର୍ତ୍ତେ ଗୋଟାଏ ଗୃହକୁ ସିଲ୍ କରଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ୧୬ା୧୧ା୨୧ରେ ‘ଧରିତ୍ରୀ’ରେ ‘ମିଲରଙ୍କୁ ସରକାରୀ ଗୋଦାମ ଗୃହ ଯୋଗାଣ’ ଶିର୍ଷକରେ ଖବର ପ୍ରକାଶ ପାଇଥିଲା ା