ରାସ୍ତା ଜାମରେ ଫସିଲା ଜନନୀ ଏକ୍ସପ୍ରେସ

କେନ୍ଦୁଝର, ୧୭ା୧୨(ସ୍ବ.ପ୍ର.):  କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବାବେଳେ ଗୁରୁବାର ପୂର୍ବାହ୍ନରେ ଢାଙ୍ଗରପଡା ନିକଟ ଏନ୍‌ଏଚ୍‌ ୪୯ରେ ଅଟକିଯାଇଥିଲା। ସୁଷମା ମିଞ୍ଜ ପ୍ରସୂତି ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ଡାକ୍ତରଖାନାକୁ ପହଞ୍ଚାଇବା ପାଇଁ ଚାଳକ ଉଦ୍ୟମ କରିଥିଲେ ା କିନ୍ତୁ ରାସ୍ତା ଜାମ ଯୋଗୁ ଆମ୍ବୁଲାନ୍ସଟି ପାଖାପାଖି ଅଧଘଣ୍ଟା ଅଟକି ରହଥିଲା। ଏହି ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚାଳକ ନିଜ ନିଜ ବାଟରେ ଯିବା ପାଇଁ ଉଦ୍ୟମ କରୁଥିଲେ ହେଁ ଆମ୍ଭୁଲାନ୍ସକୁ ବାଟ ଛାଡି ନଥିଲେ। ଫଳରେ ଆମ୍ବୁଲାନ୍ସ ଚାଳକ ଗୁଜରାଜ ଦାସ ବହୁ ଉଦ୍ୟମ କରି ମେଡିକାଲକୁ ବିଳମ୍ବରେ ଗାଡି ଆଣିଥିଲେ। ଢାଙ୍ଗରପଡା ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡି ବେଆଇନ ପାର୍କିଂ କରୁଥିବାରୁ ରାସ୍ତା ସଙ୍କୁଚିତ ହୋଇପଡୁଛି। ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷ କରି ଆମ୍ଭୁଲାନ୍ସ ଯାତାୟାତରେ ବେଶୀ ସମସ୍ୟା ଦେଖାଦେଉଛି।