ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ

ମୁମ୍ବାଇ,୧୪ା୪: ମହାରାଷ୍ଟ୍ରରେ କରୋନା ଭୂତାଣୁର ଉଗ୍ରରୂପକୁ ଦେଖି ‘ଜନତା କର୍ଫ୍ୟୁ’ ଜାରି କରିଛନ୍ତି ଉଦ୍ଧବ ସରକାର। ମଙ୍ଗଳବାର ୬୦,୨୧୨ ସଂକ୍ରମିତ ହୋଇଥିବାବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ କଟକଣା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ମାରାଥନ୍‌ ବୈଠକ ପରେ ମଙ୍ଗଳବାର ମହାରାଷ୍ଟ୍ରବାସୀଙ୍କୁ ସୋସିଆଲ ମିଡିଆ ଜରିଆରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଏପ୍ରିଲ ୧୪ ରାତି ୮ଟାରୁ ମେ’୧ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆପରାଧିକ ଦଣ୍ଡ ସଂହିତା (ସିଆର୍‌ପିସି)ର ୧୪୪ ଧାରା ଜାରି କରାଯିବ। ସବୁଠି ଲକ୍‌ଡାଉନ୍‌ ଭଳି କଟକଣା ରହିବ। ଅଣଜରୁରୀ ଯାତ୍ରା ଉପରେ ମଧ୍ୟ ୧୫ ଦିନ ଧରି ଅଙ୍କୁଶ ରହିବ। ସମସ୍ତ ଅନୁଷ୍ଠାନ, ସର୍ବସାଧାରଣ ସ୍ଥାନ, ବନ୍ଦ ରହିବ। ସବୁ ଶିଳ୍ପ, କଳକାରଖାନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିବ। ପୂର୍ବାହ୍ନ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତାକଡ଼ରେ ବିକାଳି ଜିନିଷପତ୍ର ବିକ୍ରି କରିପାରିବେ। କିନ୍ତୁ ସେଠାରେ ସେମାନେ କିଛି ଖାଇପାରିବେ ନାହିଁ। ଶ୍ରମିକଙ୍କ ପାଇଁ ଓ ଜରୁରୀ ସେବା ଲାଗି ସାଧାରଣ ପରିବହନ ଚାଲୁରହିବ। ଏସବୁ କଟକଣା ସତ୍ତ୍ୱେ ଏହା ଲକ୍‌ଡାଉନ୍‌ ନୁହେଁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ରରେ ଅକ୍ସିଜେନ ଓ ବେଡ୍‌ ଅଭାବ ରହିଛି। ରେମ୍‌ଡେସିଭିର ଚାହିଦା ମଧ୍ୟ ବଢ଼ୁଛି। କେନ୍ଦ୍ର ସରକାର ରାଜ୍ୟର କରୋନା ରୋଗୀମାନଙ୍କୁ ଅକ୍ସିଜେନ୍‌ ଯୋଗାଇଦେବା ପାଇଁ ଭାରତୀୟ ବାୟୁସେନାର ସହାୟତା ନେବା ଉଚିତ। ରାଜ୍ୟ ସରକାର ଆସନ୍ତା ମାସେ ପାଇଁ ପ୍ରତ୍ୟେକ ଗରିବ ଓ ଅଭାବୀ ବ୍ୟକ୍ତିଙ୍କୁ ୩ କେ.ଜି. ଗହମ ଏବଂ ୨ କେ.ଜି. ଚାଉଳ ମାଗଣାରେ ଯୋଗାଇଦେବେ ବୋଲି ଉଦ୍ଧବ ଘୋଷଣା କରିଛନ୍ତି।

Share