ଜାନବିଲି ପ୍ରକଳ୍ପ ପାଣି ପାଇପ୍‌ ଲାଇନ ଫାଟିଲା

ଧରାକୋଟ,୨୪ା୭(ବିଷ୍ଣୁ କେଶରୀ ଆଚାରୀ): ବ୍ରହ୍ମପୁର ସହରର ପିଇବା ପାଣି ସମସ୍ୟାର ଦୂରୀକରଣ ପାଇଁ ରାଜ୍ୟ ସରକାର ଜାନବିଲି ଆନିକଟଠାରୁ ପାଇପ ଯୋଗେ ପାଣି ନେଉଛନ୍ତି । ଋଷିକୁଲ୍ୟା ନଦୀ ଉପରେ ଷ୍ଟୋରେଜ ବ୍ୟବସ୍ଥା କରି ଏଠାରୁ ପାଣି ଦକ୍ଷିଣପୁର ଘାଇକୁ ନିଆଯାଉଛି। ସେଠାରୁ ପାଣିକୁ ବିଶୋଧନ କରି ବ୍ରହ୍ମପୁର ସହରକୁ ଯୋଗାଇ ଦିଆଯାଉଛି। ୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଏଲ ଆଣ୍ଡ ଟି ଦ୍ୱାରା ମାତ୍ର ଚାରି ବର୍ଷ ପୂର୍ବେ ନିର୍ମାଣ ହୋଇଛି। ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ପିଇବା ପାଣି ସମସ୍ୟା ଏହି ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ସମାଧାନ ହୋଇଛି। ହେଲେ ସମ୍ପ୍ରତି ମୁଣ୍ଡମରାଇ ବସଷ୍ଟାଣ୍ଡ ପାଖରେ ପାଇପ ଲାଇନ ଫାଟି ଜାତୀୟ ରାଜପଥରେ କୃତ୍ରିମ ଝରଣା ସୃଷ୍ଟି ହୋଇଛି।
ପାଇପ ଲାଇନ ଫାଟିଯିବାରୁ ସେଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଗର୍ତ୍ତରେ ଲୋକେ ନିତି ଦିନିଆ ଗାଧୁଆ ପାଧୁଆ କରିବା ସହ ଦୁଇ ଚକିଆ ଗାଡ଼ି ଧୁଆଧୋଇ କରୁଛନ୍ତି । ଗର୍ତ୍ତର ଅପରିଷ୍କାର ପାଣି ବ୍ରହ୍ମପୁର ସହରକୁ ଯୋଗାଣ ହେଉଛି । ସଂପ୍ରତି ବର୍ଷାଦିନ ଯୋଗୁ ଏହାଦ୍ୱାରା ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ଏଣୁ କର୍ତ୍ତୃପକ୍ଷ ତୁରନ୍ତ ଫାଟି ଯାଇଥିବା ପାଇପ ଲାଇନ ମରାମତି ପାଇଁ ଦାବି ହେଉଛି।

Share