ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ମାଆଙ୍କୁ ମନେପକାଇ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ୫ ବର୍ଷ ହେବ ଦୁନିଆରୁ ବିଦାୟ ନେଲେଣି । ହେଲେ ଏବେବି ତାଙ୍କ ଅଭିନୟ ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଠିକ୍ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଝିଅ ଜାହ୍ନବୀ କପୁର ମାଆଙ୍କୁ ମନେପକାଇ ଭାବୁକ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି । ମାଆଙ୍କୁ ମନେପକାଇ ଜାହ୍ନବୀ ଲେଖିଛନ୍ତି, ‘ମୁଁ ଏବେବି ତୁମକୁ ସବୁଠି ଖୋଜୁଛି ମାଆ । ମୁଁ ଯାହା ବି କରୁଛି ତେବେ ଭାବୁଛି ତୁମେ ମୋତେ ନେଇ ଗର୍ବ କରୁଥିବ । ଯେଉଁଠିକି ବି ଯାଉଛି, ଯାହା ବି ମୁଁ କରୁଛି, ସବୁ ତୁମଠାରୁ ଆରମ୍ଭ ହୋଇ ତୁମଠାରେ ଶେଷ ହେଉଛି ।’
ଏହି ପୋଷ୍ଟ ସହ ଜାହ୍ନବୀ ଏକ ଫଟୋ ବି ଶେୟାର କରିଛନ୍ତି । ଯେଉଁଥିରେ ସେ ମାଆ ଶ୍ରୀଦେବୀଙ୍କ ସହ ନଜର ଆସିଛନ୍ତି । ଉଭୟ ଏକ ଫଙ୍କସନରେ ଯୋଗ ଦେଇଥିବାର ଫଟୋ ହୋଇଥିବା ବେଳେ ମାଆଙ୍କ ସହ ବଡ ଖୁସିରେ କଥା ହେଉଛନ୍ତି ଜାହ୍ନବୀ । ଜାହ୍ନବୀଙ୍କ ପିତା ତଥା ଶ୍ରୀଦେବୀଙ୍କ ପତି ବୋନି କପୁର ବି ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ଶେୟାର କରି ଏକ ଗଜଲ ଲେଖି ଦେଇଛନ୍ତି । ବୋନି କପୁର ଲେଖିଛନ୍ତି, ଯାହା ଚାଲିଯାଇଛି, ମୋତେ ଛାଡି ଦେଇଛି, ସେ ଆଜି ପର୍ଯ୍ୟନ୍ତ ମୋ ସହ ଅଛି । ସୂଚନାଯୋଗ୍ୟ, ବୋନି କପୁର ସବୁବେଳେ ଶ୍ରୀଦେବୀଙ୍କ ସହ ଜଡିତ ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି ।
ବଲିଉଡରେ ଅନେକ ହିଟ୍ ମୁଭି ଭେଟି ଦେଇଥିବା ଶ୍ରୀଦେବୀ ଆଜି ସିନା ଆମ ଗହଣରେ ନାହାନ୍ତି ହେଲେ ତାଙ୍କର ଅଭିନୟ ତାଙ୍କୁ ଜୀବନ୍ତ କରି ରଖିବ ଯୁଗ ଯୁଗ ପର୍ଯ୍ୟନ୍ତ । ଶ୍ରୀଦେବୀଙ୍କର ୨୪ ଫେବୃୟାରୀ ୨୦୧୮ରେ ଦୁବଇର ଏକ ହୋଟେଲରେ ବାଥଟବରେ ବୁଡି ଯିବାରୁ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରି ନଥିଲା ବଲିଉଡ ଦୁନିଆ ।

Share